ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ,ଏସ୍ଟିଏଫ୍ ତଥା କିଛି ବରିଷ୍ଠ ଅଧିକାରୀଙ୍କ ଘରେ ବିଶେଷ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉ- ଧର୍ମେନ୍ଦ୍ର
ଓଡିଶାରେ ବିଜେଡି ଆଜି ଲୋକଙ୍କ ପାଖରେ ନାହିଁ
ଏସଟିଏଫ୍ ଅଫିସକୁ ଡାକି ରାଜନୈତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି
ବିଜେଡି ଶାସନର ନାଲି ଆଖି ଦେଖାଇ ଲୋକଙ୍କୁ ଧମକାଇବାର ବ୍ୟବସ୍ଥା କରୁଛି
ସାଢେ ୪ କୋଟି ଲୋକଙ୍କ ଭାଗ୍ୟକୁ ୫-୭ ଜଣ ଅଣ ଓଡିଆ ହଡପ କରିବାର ଷଡଯନ୍ତ୍ର କରୁଛନ୍ତି
ଭୁବନେଶ୍ୱର– ଗତକାଲି ନିର୍ବାଚନ ଆୟୋଗଙ୍କ ପାଖରେ ବିଜେପି ପକ୍ଷରୁ ଜଣେ ନିର୍ଦ୍ଧିଷ୍ଟ ଅଫିସରଙ୍କ ନାଁରେ ଅଭିଯୋଗ ହୋଇଛି । ଓଡିଶା ପୋଲିସର କିଛି ବରିଷ୍ଠ ଅଧିକାରୀ ଓଡିଶାରେ ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଅପଚେଷ୍ଟା କରୁଛନ୍ତି । ଏସଟିଏଫ୍ ଅଫିସକୁ ଡାକି ରାଜନୈତିକ ବ୍ୟକ୍ତିଙ୍କୁ ଧମକ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପୋଲିସ ବିଭାଗର ମହକୁମା, ଏସ୍ଟିଏଫ ମହକୁମା, ମୁଖ୍ୟମନ୍ତ୍ରୀଙ୍କ ୨-୪ ଜଣ ଅଧିକାରୀଙ୍କ ଘର ଆଜି ସନ୍ଦେହ ଚକ୍ଷୁରେ ଅଛି । ସେ ଜାଗାରେ ବିଶେଷ ଅବଜର୍ଭରମାନଙ୍କୁ ରଖାଯିବା ନେଇ ଶ୍ରୀ ପ୍ରଧାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ପକ୍ଷରୁ ଦାବୀ କରିଛନ୍ତିା ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଢେ ୪ କୋଟି ଲୋକଙ୍କ ଭାଗ୍ୟକୁ ୫-୭ ଜଣ ଅଣ ଓଡିଆ ଲୋକମାନେ ହଡପ କରିବାର ଷଡଯନ୍ତ୍ର କରୁଛନ୍ତି । ସେମାନେ ଆଇନକୁ ହାତକୁ ନେବାକୁ ଚେଷ୍ଟା କରନ୍ତୁ ନାହିଁ । ଅତୀତରେ ଗଣତନ୍ତ୍ରରେ ଏଭଳି ଅପରାଧରେ ଅଧିକାରୀଙ୍କୁ ଜେଲ୍ ଯିବାର ନଜିର୍ ଅଛି । ଓଡିଶାରେ ଏଭଳି ହେବାକୁ ବେଶି ଦିନ ନୁହେଁ । ଏହି ଅସାଧୁ ବ୍ୟକ୍ତିମାନେ ଏ କାମରୁ ନିବୃତ ନରହିଲେ ଆଇନର ପରିଧି ଭିତରେ ରହି ବିଜେପି ସବୁ ପ୍ରକାର ଉଦ୍ୟମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଆଜି ଭୁବନେଶ୍ୱର, ଢେଙ୍କାନାଳ ଜିଲ୍ଲାର ବ୍ୟକ୍ତିବିଶେଷ ତଥା ଯୁବ ନେତା ରିଷଭ ନନ୍ଦ, କିନ୍ନର ସମୁଦାୟର ବରିଷ୍ଠ ନେତ୍ରୀ ମେନକା ପରିଡା, ବିଜେଡି ଏବଂ କଂଗ୍ରେସର ଅନେକ ସଦସ୍ୟ ଦଳରେ ଯୋଗଦେଇଛନ୍ତି । ଏମାନଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହାତମୁଠାକୁ ଟାଣ କରିବ । ସମସ୍ତ ସଦସ୍ୟ ଅକ୍ଳାନ୍ତ ପରିଶ୍ରମ କରି ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ଆରମ୍ଭ ହୋଇସାରିଥିବା ବେଳେ ଔପଚାରିକ ଭାବେ ପ୍ରଚାର ଅଭିଯାନ ଆରମ୍ଭହୋଇଗଲାଣି । ଆଗାମୀ ନିର୍ବାଚନରେ ଫଳାଫଳ କଣ ହେବ ତାହାର ଅନ୍ତିମ ପର୍ଯ୍ୟାୟରେ ସମସ୍ତେ ଆଜି ଏକାଠୀ ହୋଇଛନ୍ତି ।
ଚଳିତଥର ଓଡିଶା ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବାର ନିଷ୍ପତି କରିସାରିଛିା ଭୁବନେଶ୍ୱର, କୋରାପୁଟ, କନ୍ଧମାଳ,ସୁନ୍ଦରଗଡ, ପୁରୀ ତଥା ଓଡିଶାର ସମସ୍ତ ୨୧ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାର ଆବଶ୍ୟକତା ରହିଛି । ମୋଦି ପ୍ରଧାନମନ୍ତ୍ରୀ ହେଲେ ସେ ପାକିସ୍ତାନକୁ ଧୂଳି ଚଟାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତବର୍ଷ ବିଶ୍ୱରେ ମାନମର୍ଯ୍ୟାଦା ବଢାଇଥିବା ବେଳେ ଦେଶରେ ମଜବୁର ନୁହେଁ ମଜବୁତ ସରକାର ବନେଇବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟର ସାଧାରଣ ଜନତାଙ୍କୁ ପଦ୍ମ ଫୁଲରେ ଭୋଟ ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିବା ପରେ କହିଛନ୍ତିନରେନ୍ଦ୍ର ମୋଦି ଦେଶରେ ଅନେକ ବିକାଶ କାମ କରିଛନ୍ତି । ମାତ୍ର ଓଡିଶାରେ ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ରାଧୁଆ ମିଛୁଆ ସରକାର କାରଣରୁ ନରେନ୍ଦ୍ର ମୋଦିଙ୍କ ବିକାଶର କାମ ଓଡିଶାରେ ପହଁଚିପାରୁନାହିଁ । ତେଣୁ ୧୯ ବର୍ଷର ସରକାରକୁ ବଦଳେଇବା ଦରକାର ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଶାସକ ଦଳର ସାଂସଦ, ବିଧାୟକ ଓ ଅନେକ ବରିଷ୍ଠ ନେତାମାନେ ବିଜେପିରେ ଯୋଗଦେଲେ । ଓଡିଶାରେ ବିଜେଡି ଆଜି ଲୋକଙ୍କ ପାଖରେ ନାହିଁ । ବିଜେଡି ଶାସନର ନାଲି ଆଖି ଦେଖାଇ ଲୋକଙ୍କୁ ଡରଇ ଧମକାଇବାର ବ୍ୟବସ୍ଥା କରୁଛି ବୋଲି ସେ କହିଛନ୍ତି ।