ନାମାଙ୍କନପତ୍ର ଦାଖଲର ୪ର୍ଥ ଦିନରେ ଆଜି ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ୩ଜଣ ପ୍ରାର୍ଥୀପତ୍ର ଦାଖଲ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଦୁଇଗୋଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନ ସୁଦ୍ଧା କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ଆଜି ଚତୁର୍ତ ଦିନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ୨ଜଣ ଏବଂ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତିପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ରଜନୀକାନ୍ତ ସ୍ୱାଇଁଙ୍କ ଠାରେ ।
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ଆବାହକ ତଥା ହାଇଟେକ ମେଡିକେଲ କଲେଜର ଅଧ୍ୟକ୍ଷ ତଥା କଂଗ୍ରେସ ବରିଷ୍ଠ ନେତା ଡ:ତିରୁପତି ପାଣିଗ୍ରାହୀ ଆଜି ସ୍ୱାଧୀନ ଓ କଂଗ୍ରେସ ପ୍ରାର୍ଥୀ ଭାବେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଗୋଟି ସେଟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଡ: ପାଣିଗ୍ରାହୀ ତାଙ୍କ ପତ୍ର ଦାଖଲ କରିବା ପାଇଁ ସେ ତାଙ୍କ ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ବାସଭବନଠାରୁ ୧୫ ହଜାରରୁ ଉର୍ଧ୍ଵ କଂଗ୍ରେସ କର୍ମୀ , ନେତା ଓ ସମର୍ଥକ ଗ୍ରହଣରେ ଏକ ବିରାଟ ସଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଦଳୀୟ ଟିକଟ ନମିଳିଥିଲେ ମଧ୍ୟ ଆଜି ମୋର ମୁହୂର୍ତ୍ତ ବେଳା ଥିବା ଯୋଗୁଁ ମୁଁ ନାମାଙ୍କନ ପତ୍ର ଦାଖଲ କରିଛି ପ୍ରଦେଶ କଂଗ୍ରେସ କମିଟି ର ସ୍କିନିଂ କମିଟିର ମୋର ନାମ ସୁପାରିଶ କ୍ରମେ ଏବଂ ସର୍ବଭାରତୀୟ କଂଗ୍ରେସ କମିଟିର ପ୍ରତିଶ୍ରୁତି ପ୍ରକାରେ ମୋ ପକ୍ଷରେ ନିଷ୍ପତି ହୋଇ ମୋତେ ଟିକଟ ମିଳିବ ବୋଲି ମୋର ପୂର୍ଣ୍ଣାଙ୍ଗ ବିଶ୍ୱାସ ରହିଛି । ଟିକଟ ବି:ଫାର୍ମ ସ୍କୁଟିନି ବେଳେ ଦେବାର ନିୟମ ପ୍ରକାରେ ସେ ଦିନ ଦେବି ବୋଲି କହିଥିଲେ ।
ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ଦୁଇଦିନ ପୂର୍ବେ ଇସ୍ତଫା ଦେଇ ଭାଜପାରେ ମିଶିଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ଭାଜପା ପକ୍ଷରୁ ଟିକଟ ନମିଳିଥିଲେ ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ବହୁ ସମର୍ଥକଙ୍କ ଗ୍ରହଣରେ ଆସିଥିଲେ ।
ସେହିଭଳି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଭାବେ ଦୁଇଗୋଟି ସେଟ୍ରେ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ଭରତ ପାଇକ । ଦଳିୟ ଟିକଟ ନ ମିଳିଥିଲେ ମଧ୍ୟ ତାଙ୍କୁ ହିଁ ଦଳିୟ ଟିକଟ ମିଳିବ ବୋଲି ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।