ହେଡଲାଇନସ୍:

   ନିଯୁକ୍ତି ନ ଦେଲେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୁଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ଉନ୍ନୟନ କମିଶନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ 

ହାଜର  ନ ହେଲେ ସେମାନଙ୍କ ବିରୋଧରେ ଗିରଫ ପରୱାନା 

ଭୁବନେଶ୍ୱର: : ଓଡ଼ିଶା ହାଇକୋର୍ଟ ଓ ସ୍ୟାଟଙ୍କ ନିର୍ଦ୍ଦେଶ  ପାଳନ କରି ତୁରନ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦିଅ ନ ହେଲେ ଚଳିତ ମାସ ୨୮ ତାରିଖରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନା ମାମଲାର ସାମ୍ନା କର । ରାଜ୍ୟ ଉନ୍ନୟନ କମିଶନର ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ ଏମିତି ଚେତାବନୀ ଦେଇଛନ୍ତି ଅଦାଲତ । ଯଦି ସେମାନେ ଏଥିରେ ତ୍ରୁଟି କରନ୍ତି ତା’ ହେଲେ ସେମାନଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି । 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମାର୍ଚ୍ଚ ମାସରେ ପରିସଂଖ୍ୟାନ ନିର୍ଦ୍ଦେଶାଳୟ  ଅଧିନରେ କାର୍ଯ୍ୟ କରୁଥିବା ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ  ଘଟିଥିଲା । ତାଙ୍କ ପତ୍ନୀ ଅସୁସ୍ଥ ଥିବା ଏବଂ ମେଡ଼ିକାଲ ବୋର୍ଡ ତାଙ୍କୁ ସରକାରୀ ଚାକିରି ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ଘୋଷଣା କରିଥିବା ପରିପ୍ରେକ୍ଷୀରେ ମୃତ କର୍ମଚାରୀଙ୍କ ବଡ଼ପୁଅ ତପନ କୁମାର ମଲ୍ଲିକ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ତେବେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଥିବା ବେଳେ ବଡ଼ ପୁଅ କାହିଁକି ଆବେଦନ କଲା ବୋଲି ପ୍ରଶ୍ନ ଉଠାଇ ତାଙ୍କୁ ଚାକିରି ଦିଆଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ରୋକଠୋକ୍ ମନା କରିଦେଇଥିଲେ । 

ଏହି ମାମଲାରେ ହସ୍ତକ୍ଷେପ କରି ସରକାରୀ ଆଦେଶକୁ ସ୍ୟାଟ୍ ନାକଚ କରିଦେବା ସଙ୍ଗେ ସଙ୍ଗେ  ଦୁଇ ମାସ ମଧ୍ୟରେ ତପନଙ୍କୁ ନିଯୁକ୍ତି ଦେବା ଲାଗି ଗତବର୍ଷ ମାର୍ଚ୍ଚ ମାସରେ ରାୟ ଦେଇଥିଲେ । ଅନୁପରୂପ ଅନେକ ଘଟଣାରେ ବିଧବା ପତ୍ନୀ ବଞ୍ଚିଥିବା ବେଳେ ମୃତ କର୍ମଚାରୀଙ୍କ ପୁଅଝିଅଙ୍କୁ ସମ୍ପୃକ୍ତ ନିର୍ଦ୍ଦେଶାଳୟ  ଏବଂ ସାଧାରଣ ପ୍ରଶାସନ ସମେତ ଅନ୍ୟାନ୍ୟ ବିଭାଗ ନିଯୁକ୍ତି ଦେଉଥିବା ବେଳେ ତପନଙ୍କୁ ନିଯୁକ୍ତି ନ ଦେଇ ସରକାର ସ୍ୟାଟ୍ ଆଦେଶ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଚାକିରି ପ୍ରତ୍ୟାଶୀ ତପନଙ୍କ ପକ୍ଷରୁ ସ୍ୟାଟର  ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହ ଓ ଅନ୍ୟତମ ଓକିଲ ଅମୀୟ ଛାଟୋଇ ଲଢ଼ୁଥିଲେ । 

ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍ ଜାଭେରୀ  ଓ ଅନ୍ୟତମ ବିଚାରପତି କୃଷ୍ଣରାମ ମହାପାତ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗତ ଜାନୁଆରୀ ମାସରେ ସ୍ୟାଟ୍ ଆଦେଶକୁ କାଏମ୍ ରଖି ରାଜ୍ୟ ସରକାରଙ୍କ ରିଟ୍କୁ ନାକଚ କରିଦେଇଥିଲେ । ତେବେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବାରୁ ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଉନ୍ନୟନ କମିଶନର୍ ଅସିତ୍ କୁମାର ତ୍ରିପାଠୀ ଏକ ସତ୍ୟପାଠ ମାଧ୍ୟମରେ ସ୍ୟାଟଙ୍କ  ଜଣାଇଥିଲେ । 

ହାଇକୋର୍ଟ ମାମଲାର ପରିସମାପ୍ତି ଘଟାଇଥିବାରୁ ଅଦାଲତୀ ନିର୍ଦ୍ଦେଶ  ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ୟାଟର  କାର୍ଯ୍ୟକାରୀ ଅଧ୍ୟକ୍ଷ ଗତ ୬ ତାରିଖରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା କରାନଗଲେ ଉନ୍ନୟନ କମିଶନର୍ ଓ ବିଭାଗୀୟ ନିର୍ଦ୍ଦେଶକ  ଆସନ୍ତା ୨୮ ତାରିଖରେ ସ୍ୟାଟ୍ରେ ହାଜର ହୋଇ ଅଦାଲତ ଅବମାନନା ମାମଲାର ସାମ୍ନା କରିବେ ନ ହେଲେ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ବୋଲି ସ୍ୟାଟ୍ କହିଛନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ ସରକାର ସୁପ୍ରିମ୍ କୋର୍ଟ  ଯିବା ପାଇଁ ଚିନ୍ତା କରୁଥିବା ବେଳେ ନିକଟରେ କେନ୍ଦ୍ର ସରକାର ବନାମ ପୃଥ୍ୱୀ ସିଂହ ମାମଲାରେ ସରକାରଙ୍କୁ ଉପରେ ସୁପ୍ରିମ୍ କୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେବା ସହିତ ଲକ୍ଷେ ଟଙ୍କା ଜରିମାନା କରିଥିବା ପରିପ୍ରେକ୍ଷୀରେ ତପନଙ୍କୁ ନିଯୁକ୍ତି ଦେବା ଉଚିତ୍ ହେବ ବୋଲି ଆଇନ୍ ବିଶାରଦମାନେ କହୁଛନ୍ତି ।   

0
0
0
s2sdefault