ହେଡଲାଇନସ୍:

 ନିର୍ବାଚନ ମତଦାନ କରିବାକୁ ଭିନ୍ନକ୍ଷମଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୋଟ ଦାନ ପାଇଁ ପ୍ରଶାସନ ପକ୍ଷରୁ  ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ (ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଉପଜିଲ୍ଲାପାଳ ହେମନ୍ତ ବିହାରୀ, ସମସ୍ତ ଗୋଷ୍ଠୀ  ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସହକାରୀ ଯନ୍ତ୍ରୀ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଚଳିତ ନିର୍ବାଚନରେ ଭିନ୍ନକ୍ଷମ ଭୋଟରମାନେ ମତଦାନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ । ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରାଯିବା ସହ ବୁଥୱାରୀ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ସାଧାରଣତଃ ଭିନ୍ନକ୍ଷମ ଭୋଟରମାନେ ମତଦାନ କରିବାକୁ ବିଭିନ୍ନ କାରଣରୁ ଅନିଚ୍ଛୁକ ହୁଅନ୍ତି । କେତେକ କ୍ଷେତ୍ରରେ ପରିବାର ପକ୍ଷରୁ ସେମାନଙ୍କୁ ଏଥିନେଇ ଅସହଯୋଗ କରାଯାଇଥାଏ ତ ଆଉ କେଉଁଠି ମତଦାନ କେନ୍ଦ୍ରରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଧିକାଂଶ ଭିନ୍ନକ୍ଷମ ବ୍ୟକ୍ତିମାନେ ମତଦାନ କରିବାକୁ ପଛଘୁଞ୍ଚା ଦେଇଥାନ୍ତି । ଏହି ସବୁ ସମସ୍ୟାକୁ ନେଇ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରା଼ମ୍ପ ବ୍ୟବସ୍ଥା, ଭିନ୍ନକ୍ଷମଙ୍କୁ ସହଯୋଗ ପାଇଁ ଏନ୍.ସି.ସି, ସ୍କାଉଟ୍ ପିଲାମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଭିନ୍ନକ୍ଷମମାନଙ୍କର ଡ଼ାଟା ବେସ୍ ପ୍ରସ୍ତୁତ କରାଯିବା ସହ ବୁଥୱାରୀ ତାଲିକା ପ୍ରସ୍ତୁତି କରାଯାଇ ଏକ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ଭୋଟରମାନେ ଭୋଟକେନ୍ଦ୍ରରେ ପହଞ୍ଚôବା ପରେ ସେମାନଙ୍କୁ ହୁଇଲ ଚେୟାର  ମାଧ୍ୟମରେ ମତଦାନ କେନ୍ଦ୍ରକୁ ଅଣାଯିବା ସହ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ ସେଥିପାଇଁ ପୋଲିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସେମାନଙ୍କୁ ଅଣାଯାଉଥିବା ଗାଡ଼ିକୁ ଯେପରି କୌଣସି ଠାରେ ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ିବ, ମତଦାନ ପରେ ପୁନଃର୍ବାର ସେମାନଙ୍କୁ ସମ୍ମାନର ସହ ନିଜ ନିଜ ଘରେ ଛାଡ଼ିବାର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତିଷ୍ଠିତ କିଛି ଭିନ୍ନକ୍ଷମ ଭୋଟରମାନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୟନ କରାଯାଇ ଭିନ୍ନକ୍ଷମମାନଙ୍କୁ ପ୍ରେରଣା ଦେବାର ଦାୟିତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଉକ୍ତ ବୈଠକରେ ଯୋଗ ଦେଇଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ଏ ସମ୍ବନ୍ଧରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ । 

0
0
0
s2sdefault