ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରୀଷ୍ମ ପ୍ରଭାବରେ ଅଂଶୁଘାତର ମୁକାବିଲା ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବ ସିଂ ଅଧ୍ୟକ୍ଷତା କରି ଗ୍ରୀଷ୍ମ ପ୍ରଭାବରେ ସମ୍ଭାବ୍ୟ ଅଂଶୁଘାତର ଉଚିତ ମୁକାବିଲା ନେଇ ବିଭାଗୀୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆଗୁଆ ଭାବେ ଆବଶ୍ୟକ ପଦକ୍ଷେପ ସବୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ମୁଖ୍ୟତଃ ଭାବେ ପାରଳାଖେମୁଣ୍ଡି ସହରର ବିଭିନ୍ନ ଛକ ସ୍ଥାନରେ ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଜଳ ଛତ୍ର ଓ ବିଶ୍ରାମ ପାଇଁ ଛାଇ ଛାମୁଣ୍ଡିଆ କରିବାକୁ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ବ୍ଲକରେ ଏହି ପଦକ୍ଷେପ ନେବା ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିଭଳି ଅଂଶୁଘାତ ନିୟନ୍ତ୍ରିତ ପାଇଁ ବିଭିନ୍ନ ଚିକିତ୍ସାଳୟଗୁଡିକରେ ସ୍ୱତନ୍ତ୍ର ଭାବେ ଅଂଶୁଘାତ କକ୍ଷ ଖୋଲିବା ସହ ଅଂଶୁଘାତ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ବ୍ୟବସ୍ଥା କଡାକଡି କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଗୁନୁରାଣୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶଦେଇଥିଲେ । ପାରଳାଖେମୁଣ୍ଡି ସହରରେ ଏବଂ ବିଭିନ୍ନ ବ୍ଲକାଞ୍ଚଳରେ ରହିଥିବା ଅଚଳ ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିଭଳି ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ନିମନ୍ତେ ଛାମୁଣ୍ଡିଆ ଛାଇ ଓ ପିଇବା ପାଣିର ବ୍ୟବସ୍ଥା, ଗ୍ରୀଷ୍ମ ଦିନରେ ବିଦ୍ୟୁତ ବିଭ୍ରାଟ ନହେବା ପ୍ରତି ଦୃଷ୍ଟି ଦେବା , ଖରା ସମୟରେ ଦିନ ୧୧ଟା ପରେ ଶ୍ରମିକ ମାନେ ୩ଟା ପର୍ଯ୍ୟନ୍ତ କାମ ନକରିବା ପ୍ରଭୃତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଖରାବେଳେ ବାହାରେ ବୁଲିବା ସମୟରେ ଛତା,ଯୋତା ,ଟୋପି,ଓଦାକନା ଇତ୍ୟାଦି ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ,ଡି.ଏଫ.ଓ ବିବେକ କୁମାର ଜିଲ୍ଲା ଜରୁରୀକାଳିନ ଅଧିକାରୀ ସତ୍ୟସମ୍ପନ୍ନା ରାଉତ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।