ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ବ୍ଲକ ଅଫିସ ସଭାଗୃହରେ ଆଜି ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଅଶୋକ କୁମାର ଗଡତିଆ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିଭାବରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଯୋଗ ଦେଥିଲେ । ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଯାଉଥିବା ଏହି ସ୍ୱତନ୍ତ୍ର ଇଭିଏମ ମେସିନର କାର୍ଯ୍ୟକାରିତା ଉପରେ ବିଡିଓ ଶ୍ରୀ ଗଡିତିଆ ବୁଝାଇଥିଲେ । ଭିଭିପାଟ ସଂଯୋଗ ହୋଇଥିବା ଏହି ଭୋଟର ମ୍ୟାସିନ ଗତ ବିଜେପୁର ବିଧାନସଭା ଉପନିର୍ବାଚନରେ ପ୍ରଥମେ ବ୍ୟବହାର କରାଯାଇଥିଲା । ଏହି ବେଲଟ ୟୁନିଟ ମେସିନରେ ନୋଟା ସହିତ ୧୬ଜଣ ପ୍ରାର୍ଥୀଙ୍କ ନାମତାଲିକା ରହିବାର ବ୍ୟବସ୍ଥା ରହିଛି । ଭୋଟର ତାର ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ସୁଇଚ ଦବାଇବା ପରେ ୫ ସେକେଣ୍ଡ ଏକ ଶବ୍ଦ ହେବ ଓ ସେ କାହାକୁ ଭୋଟ ଦେଲେ ତାହା ଭିଭିପାଟରେ ୭ ସେକେଣ୍ଡ ପର୍ଯ୍ୟନ୍ତ ଦେଖାଦେବା ପରେ ଭିଭିପାଟ ଭିତରେ ଏକ ସ୍ଲିପ କଟିଯାଇ ମେସିନ ଭିତରେ ଗଚ୍ଛିତ ହୋଇ ରହିବ । ପୂର୍ବରୁ ପ୍ରଚଳିତ ଇଭିଏମରେ ଭୋଟର ମତଦାନ କରିବା ପରେ ପ୍ରକୃତରେ ତାହାର ଭୋଟଟି ସଠିକ ପ୍ରାର୍ଥୀଙ୍କୁ ଗଲା କି ନାହିଁ ସେଥିରେ ଭୋଟରଙ୍କ ସଂଶୟ ରହୁଥିଲା । କିନ୍ତୁ ଏଥର ଯେଉଁ ମେସିନ ବ୍ୟବହାର କରାଯାଉଛି ସେଥିରେ ସ୍ୱଷ୍ଟଭାବରେ ଭୋଟର ନିଜେ ଦେଖିପାରିବ ଯେ ସେ ଦେଇଥିବା ଭୋଟଟି ଠିକ ବ୍ୟକ୍ତିକୁ ଯାଇଛି କି ନାହିଁ ବୋଲି ବିଡିଓ ଓ ସହକାରୀ ଯନ୍ତ୍ରୀ ବୁଝାଇ କହିଥିଲେ । ଏପରିକି ଆଗାମୀ ନିର୍ବାଚନବେଳେ ଭୋଟ ଗ୍ରହଣ ପୂର୍ବରୁ ବୁଥ ମଧ୍ୟରେ ରାଜନୈତିକ ଦଳ ତରଫରୁ ନିଯୁକ୍ତ ଏଜେଂଟମାନଙ୍କ ଉପସ୍ଥିତିରେ ମକ ଭୋଟିଂ କରାଯିବା ପରେ ଭୋଟରମାନେ ମତଦାନ କରି ପାରିବେ ବୋଲି ବିଡିଓ ଗଡତିଆ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ଟର ଅଫିସର ରାଜକୁମାର ସାହୁ,ଅରୁଣ କୁମାର ସାହୁ ଓ ଷଡାନନ ଭୋଇ,ବିଏଲଓ ସୁପରଭାଇଜର ରମେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନୈତିକ ଦଳର ନେତା ତଥା ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ସରପଂଚ ଓ ସମିତି ସଭ୍ୟମାନେ ଯୋଗଦେଇ ମକ ଭୋଟିଂରେ ମତଦାନ କରିଥିଲେ ।
ରାଜ୍ୟ
ସୋହେଲା ବ୍ଲକରେ ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ
- Hits: 650