ବସ୍ତି ସରୁକ୍ଷା ମଞ୍ଚ ପକ୍ଷରୁ ପୌରସଂସ୍ଥା ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡ ଅଞ୍ଚଳରେ ବାସ କରି ଆସୁଥିବା ଗରିବ ବସ୍ତି ବାସିନ୍ଦା ବିଭିନ୍ନ ମୌଳିକ ଦାବୀ ଗୁଡିକୁ ନେଇ ଆଜି ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ପୌର ସଂସ୍ଥା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଗଣଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୩୦୦ରୁ ଉର୍ଦ୍ଧ୍ୱ ଗରିବ ବସ୍ତି ବାସିନ୍ଦା ପୌର ସଂସ୍ଥା କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ଘେରାଉ କରି ଗରିବ ବସ୍ତି ବାସିନ୍ଦା ବିଭିନ୍ନ ମୌଳିକ ଦାବୀ ଗୁଡିକ ଉପରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ବିକ୍ଷୋଭ ସଭା କରିଥିଲେ । ଦାବୀ ଗୁଡିକ ସମ୍ପର୍କରେ ମଞ୍ଚର ସଭାପତି ସୁଜିତ ପ୍ରଧାନ ଜଣାଇଥିଲେ ଯେ କେତେ ବସ୍ତି ବାସିନ୍ଦା ଅଞ୍ଚଳର ଲୋକଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ନଥିବା ଯୋଗୁଁ ପିଲାଙ୍କ ଶିକ୍ଷା ଭବିଷ୍ୟତ ନଷ୍ଟ ହେଉଛି । ଏଥିପାଇଁ ଦାୟୀ କିଏ ସେହି ଭଳି ପଟ୍ଟା ନଥିବା ଯୋଗୁଁ ଜାତିଗତ ପ୍ରମାଣପତ୍ର ମିଳୁନି । ତେଣୁ ଆମର ଦାବୀ ଗୁଡିକ ହେଲା ଯେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଯୋଗାଇଦେବା , ଉଷା ସର୍ଭେରେ ସ୍ଥାୟୀ ପଟ୍ଟା ବଣ୍ଟନ କରିବା, କମ୍ୟୁନିଟି ହଲ ନିର୍ମାଣ କରିବା , ଖାଲିଥିବା ଜାଗାରେ ସ୍ଥାୟୀ ବସତି ସ୍ଥାପନ କରିବା, ସଞ୍ଜୟଗାନ୍ଧୀ କଲୋନୀରେ ବିଦୁ୍ୟତ ସଂଯୋଗ କରିବା ସହ ସୌଭାଗ୍ୟ ଯୋଜନାରେ ବିଜୁଳି ଆଲୋକ ଯୋଗାଇଦେବା, ପୌରସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ବାଛବିଚାର ଓ ଅନିୟମିତତା ବନ୍ଦ କରିବା, ସବୁ କ୍ଷେତ୍ରରେ ପ୍ରକୃତ ହିତାଧୀକାରୀଙ୍କୁ ଚୟନ କରିବା ପ୍ରଭୃତି ଦାବୀ ଗୁଡିକ ଅନ୍ତର୍ଭୁକ୍ତ । ଏ ସମ୍ପର୍କିତ ଦାବୀ ପତ୍ର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପ୍ରଦାନ କରି ଆଲୋଚନା କରିଥିଲେ । ନିତିନିୟମ ପ୍ରକାରେ ପଦକ୍ଷେପ ନିଆଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ପରେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ପୌରକାର୍ଯ୍ୟାଳୟ ଠାରୁ ବାହାରି ପ୍ଲାକାର୍ଡମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କୁ ପ୍ରଦାନ କରି ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ ।