ହେଡଲାଇନସ୍:

ଖୁବ୍‍ଶୀଘ୍ର ବିଦ୍ୟୁତ  କର୍ମଚାରୀଙ୍କ ଥଇଥାନ ଓ ଆର୍ଥିକ ପ୍ୟାକେଜ୍‍ ସମ୍ଭାବନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହିତ ମନ୍ତ୍ରିସ୍ତରୀୟ ଆଲୋଚନା

ଭୁବନେଶ୍ୱର :  ରାଜ୍ୟ ସଚିବାଳୟରେ ବିଦ୍ୟୁତ ବିଭାଗ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ବିଭାଗୀୟ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ସମସ୍ତ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ଶ୍ରୀ ସୁବାସ ସିଂହ, କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସଂପାଦକ ଅମର ଜୁମର ପ୍ରତାପ ସିଂହଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବିଦ୍ୟୁତ  କର୍ମଚାରୀମାନଙ୍କ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ଏବଂ ଦୁର୍ଘଟଣାରେ ମୃତାହତ ପରିବାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍‍ ଓ ଥଇଥାନ ଘୋଷଣା କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

ରାଜ୍ୟର ସବୁ ବିଭାଗରେ ଦୁର୍ଘଟଣା ଜନିତ ମୃତ୍ୟୁରେ ସ୍ୱତନ୍ତ୍ର ଆର୍ଥିକ  ସହାୟତା ସହିତ ଥଇଥାନ ବ୍ୟବସ୍ଥା ରହିଥିବା ବେଳେ ସବୁଠାରୁ ସ୍ପର୍ଶକାତର ଓ ବିପଦପୂର୍ଣ୍ଣ ବିଦ୍ୟୁତ  ବିଭାଗରେ କାର୍ଯ୍ୟରତ ଶ୍ରମିକ ମୃତ୍ୟୁବରଣ କଲେ କୌଣସି ଆର୍ଥିକ  ସହାୟତା ବା ଥଇଥାନର ନୀତି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ନାହିଁ, ଯାହାଫଳରେ ହଜାର ହଜାର କ୍ଷତିଗ୍ରସ୍ତ ପରିବାର ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ଏଥିନେଇ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଆର୍ଥିକ  ସହାୟତା ଓ ଥଇଥାନ ନୀତିଗତ ଭାବରେ ନିର୍ଦ୍ଧାରଣ କରିବା ପାଇଁ ଆଜିର ବୈଠକରେ ସହମତି ପ୍ରକାଶ ପାଇଛି । ବିଦ୍ୟୁତ  ବିଭାଗରେ ବହୁ ବିକାଶ ହେଉଥିବା ଓ ଓଡ଼ିଶାରେ ପ୍ରତ୍ୟେକ ଗାଁକୁ ବିଦ୍ୟୁତ  ସଂଯୋଗ ଫଳରେ ଏହାର ବ୍ୟାପକତା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାର ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି । ଶ୍ରମିକମାନଙ୍କୁ ଠିକା ସଂସ୍ଥାଦ୍ୱାରା ନିଯୁକ୍ତି ଦିଆଯାଇ ସମସ୍ତ ସୁବିଧା ସୁଯୋଗରୁ ବଂଚିତ  କରାଯାଇ ଶୋଷଣ କରାଯାଉଛି । ଏହି ଶ୍ରମିକମାନଙ୍କୁ ପର୍ଯ୍ୟାୟକ୍ରମେ ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତି ପରିଧିକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଛି । ଚୁକ୍ତିଭିତ୍ତିକ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ବେଳେ ଓପିଟିସିଏଲ୍‍ରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବାକୁ ଅନେକ ମତ ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶନାମାକୁ ଅନୁଧ୍ୟାନ କରି ଏ କ୍ଷେତ୍ରରେ ପଦକ୍ଷେପ ନେବାକୁ ସ୍ଥିର କରାଗଲା ।

ପ୍ରଶାସନିକ ଓ ବୈଷୟିକ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ଥିବା ଦରମାର ତାରତମ୍ୟକୁ ଦୂର କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆଲୋଚନାରେ କୁହାଯାଇଛି । ବକେୟା ଦରମାର ୪୦ ପ୍ରତିଶତ ପୈଠ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଏହି ବୈଠକରେ ମତ ପ୍ରକାଶ ପାଇଛି । ଓପିଟିସିଏଲ୍‍ରେ ଜେଏମ୍‍ଓଟି ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କର ୩ବର୍ଷ ତାଲିମ ସମୟ ପରେ ସେମାନଙ୍କୁ କୁଶଳୀ ଶ୍ରମିକ ହିସାବରେ ବେତନ ଦେବାକୁ ସହମତି ପ୍ରକାଶ ପାଇଛି । ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଦରମା ଦେବାରେ ଅହେତୁକ ବିଳମ୍ବ ହେଉଥିବା ଓ ପ୍ରାୟ ୬/୭ ମାସ ଲାଗୁ ଥିବାରୁ ଏହାର ତୁରନ୍ତ ପ୍ରତିକାର ପାଇଁ ନିଷ୍ପତ୍ତି କରାଗଲା ।

ମନ୍ତ୍ରୀ ଓ ସଚିବଙ୍କ ସମେତ ଓପିଟିସିଏଲ୍‍ ନିଦେ୍ର୍ଧଶକ ରାଜେନ୍ଦ୍ର କୁମାର ସେନାପତି, ଓଏଚ୍‍ପିସି ନିର୍ଦ୍ଦେଶକ  ପ୍ରବୋଧ କୁମାର ମହାନ୍ତି, ସେସୁର ମାନବ ସମ୍ବଳ ଅଧିକାରୀ ସୁବ୍ରତ ମିଶ୍ର, ଶକ୍ତି ବିଭାଗ ଅତିରିକ୍ତ ସଚିବ, ମହାସଂଘର ଉପ-ସଭାପତି ପଙ୍କଜ କୁମାର ତ୍ରିପାଠୀ, ଦେବବ୍ରତ ରାଉଳ, ବିଜୟ ଭୁଜବଳ, ବିନର୍ଭା ଦାସ, ବିକାଶ ସାହୁ, ମଳୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault