-ପାରାଦୀପରେ ବନ୍ଦରଭିତିକ ଶିଳ୍ପ ପାଇଁ ଖର୍ଚ୍ଚ ହେବ ଏକ ଲକ୍ଷ କୋଟି ଟଙ୍କା
-ଓଡିଶାରେ ୩ଟି ନଦୀ ସଂଯୋଗୀକରଣ ପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ
-ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ମଞ୍ଜୁରି ସହ ଜମି ଯୋଗାଇ ଦେବାକୁ ଗଡକରୀଙ୍କ ନିବେଦନ
ଭୁବନେଶ୍ୱର - କେନ୍ଦ୍ର ସଡକ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ ଓ ନଦୀ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରେ ଆଗାମୀ ୫ ବର୍ଷ ମଧ୍ୟରେ ୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ କେବଳ ବନ୍ଦର ଭିତିକ ଶିଳ୍ପ ପାଇଁ ଏକ ଲକ୍ଷ କୋଟି ଟଙ୍କା ଏବଂ ସଡକ ପରିବହନ ଓ ରାଜମାର୍ଗ ବିକାଶ ଲାଗି ଆଉ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ଆଜି ପାରାଦୀପଠାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏହି ଘୋଷଣା କରିଛନ୍ତି ।
ଶ୍ରୀ ଗଡକରୀ କହିଛନ୍ତି ଯେ, ପାରାଦୀପ ବନ୍ଦର ଓଡିଶା ତଥା ପୂର୍ବ ଭାରତର ବିକାଶ ଇଞ୍ଜିନ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି ଏବଂ ଏହା ମାଧ୍ୟମରେ ପ୍ରାୟ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧିନରେ ୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ନଦୀ ସଂଯୋଗୀକରଣ ଯୋଜନା ଅଧିନରେ ୩ଟି ସଂଯୋଗୀକରଣ ପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି । ସେ କହିଥିଲେ ଯେ, ବନ୍ଦର ଆଧୁନିକୀକରଣ କାର୍ଯ୍ୟକ୍ରମ ମଧ୍ୟରେ ପାରାଦୀପର ପରିବହନ କ୍ଷମତା ଆଉ ୭.୫ ନିୟୁତ ଟନ ବୃଦ୍ଧି କରିବା ଲାଗି ଯୋଜନା ହେଉଛି । ଏହା ଅଧିନରେ ଆଜି ୪୩୧ କୋଟି ଟଙ୍କାର ବହୁମୂଖୀ କ୍ଲିନ କାର୍ଗୋ ବର୍ଥ ଉଦ୍ଘାଟିତ ହୋଇଛି । ଏହାଦ୍ୱାରା କୋଇଲା, ପେଟ୍ରୋଲିୟମ ସାମଗ୍ରୀର ପରିବହନ ବୃଦ୍ଧି ପାଇବ । ଦକ୍ଷିଣ ଓ ପୂର୍ବ ଭାରତକୁ ପାରାଦୀପରୁ ମାଲ ପରିବହନ ବୃଦ୍ଧି ପାଇବ ।
ସେ କହିଥିଲେ ଯେ, ସାଗରମାଳା ପରିଯୋଜନା ଅଧିନରେ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଦ୍ୱାରା ତାମିଲନାଡୁକୁ କୋଇଲା, ଆସାମକୁ ଅଶୋଧିତ ତୈଳ ଓ ଜାପାନକୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ବୃଦ୍ଧି ପାଇବ । ଏହି ପରିଯୋଜନା ଅଧିନରେ ମୋଟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ୨୦୧୩-୧୪ରେ ପାରାଦୀପର ରାଜସ୍ୱ ମାତ୍ର ୩୪୦ କୋଟି ଟଙ୍କା ଥିଲା ଏବଂ ୬୮୦ ଲକ୍ଷ ଟନ୍ ମାଲ ପରିବହନ କ୍ଷମତା ରହିଥିଲା । କିନ୍ତୁ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ପାରାଦୀପ ବନ୍ଦରର ମାଲ ପରିବହନ କ୍ଷମତା ୧୧୦୦ ଲକ୍ଷ ଟନକୁ ବୃଦ୍ଧି ପାଇଛି ଏବଂ ରାଜସ୍ୱ ୧୭୫୦ କୋଟି ଟଙ୍କାରେ ପହଂଚିଛି । ଏହି ବନ୍ଦର ଏବେ ୭୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ କରିଛି । ଦେଶରେ ସବୁ ବନ୍ଦରଗୁଡିକ ଲାଭରେ ଚାଲିଛି ଏବଂ ପ୍ରାୟ ୭ ହଜାର କୋଟି ଟଙ୍କା ଲାଭ କରିଛନ୍ତି । ଗତ ସାଢେ଼ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ପାରାଦୀପ ଦେଇ ଅଶୋଧିତ ତୈଳ, କୋଇଲା, ଲୁହାପଥର ହେଣ୍ଡଲିଂ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଖାଇବା ତେଲର ପରିବହନ ନିମନ୍ତେ ପ୍ରଥମ କରି ମେଡିଟେରାନିୟନ ମୁରିଂ ପ୍ରଣାଳୀ ଆରମ୍ଭ କରାଯାଇଛି ।
ଜଳମାର୍ଗ ବିକାଶ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗଡକରୀ କହିଥିଲେ ଯେ, ବ୍ରାହ୍ମଣୀ-ମହାନଦୀ ଜଳମାର୍ଗର କଳିଙ୍ଗନଗର-ଧାମରା ସେକ୍ସନରେ ୨୬୨ କିଲୋମିଟର ଆଭ୍ୟନ୍ତରୀଣ ଜଳପଥର ବିକାଶ ଲାଗି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଏହି ଜଳପଥ ମଧ୍ୟରେ ୫-୬ଟି ଡ୍ୟାମ ନିର୍ମାଣ କରାଯିବ । ଏହା ସମ୍ପୂର୍ଣ୍ଣ ହେଲେ ୨୦୦ ଲକ୍ଷ ଟନ କ୍ଷମତାର ମାଲ ପରିବହନ ସୁବିଧା ସୃଷ୍ଟି ହେବ । ରେଳ ପରିବହନରେ କିଲୋମିଟର ପିଛା ୬ ଟଙ୍କା, ସଡକ ପରିବହନରେ ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଳପଥ ପରିବହନରେ ମାତ୍ର ୧ ଟଙ୍କା ଖର୍ଚ୍ଚ ହେଉଛି । ଏଣୁ ଓଡିଶାରେ ଜଳପଥର ବିକାଶ ଦ୍ୱାରା ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବ । ରାଜ୍ୟ ସରକାର ଏଥିଲାଗି ସହଯୋଗର ହାତ ବଢ଼ାଇଲେ ଆଗାମୀ ୪-୫ ମାସ ମଧ୍ୟରେ ଏହିସବୁ ପ୍ରକଳ୍ପ ଆରମ୍ଭ ହୋଇପାରିବ ।
ବେଳାଭୂମି ରାଜପଥ ପରିଯୋଜନା ଅଧିନରେ ଗୋପାଳପୁର-ଦୀଘା ମଧ୍ୟରେ ଏକ ୬ ଲେନ ବିଶିଷ୍ଟ ବେଳାଭୂମି ସଡକ ନିର୍ମାଣର ଯୋଜନା ରହିଛି । ପାରାଦୀପ ଓ ଧାମରା ଦେଇ ଏହି ବେଳାଭୂମି ରାଜପଥ ଯିବ ଏବଂ ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ସରକାର ପରିବେଶ ଓ ଜଙ୍ଗଲ ମଞ୍ଜୁରି ସହ ଜମି ଯୋଗଇ ଦେଲେ ଏହିସବୁ ପ୍ରକଳ୍ପ ୬ ମାସ ମଧ୍ୟରେ ଆରମ୍ଭ ହୋଇପାରିବ ବୋଲି ସେ କହିଥିଲେ ।
ଶ୍ରୀ ଗଡକରୀ କହିଥିଲେ ଯେ, ପାରାଦୀପକୁ ଏକ ସ୍ମାର୍ଟ ବନ୍ଦର ସହରରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ଏଠାକାର କର୍ମଚାରୀମାନଙ୍କ ପାଇଁ ଶସ୍ତାରେ ଘର ନିର୍ମାଣ କରାଯାଉଛି । ପାରାଦୀପ ବନ୍ଦରରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ସହ ମାଛଧରା ବନ୍ଦରରୁ ମହାନଦୀ ମୂହାଣ ଖୋଦନ କାର୍ଯ୍ୟ ହାତକୁ ନିଆଯାଇଛି । ବନ୍ଦର ନଗରୀକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ଡିସାଲିନେସନ ପ୍ଲାଂଟ ପ୍ରତିଷ୍ଠା ହେବାକୁ ଯାଉଛି । ସମୁଦ୍ର ଜଳରୁ ମଧୁର ଜଳ ପ୍ରସ୍ତୁତ କରିବା ଦିଗରେ ଏହି ବିଶୋଧନ ପ୍ଲାଂଟ କାର୍ଯ୍ୟ କରିବ ବୋଲି ସେ କହିଥିଲେ ।
ପାରାଦୀପ ଗସ୍ତ ଅବସରରେ ଆଉ କେତେକ ପ୍ରମୁଖ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରାଯିବା ସହ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ବିଶୋଧନାଗାରଠାରେ ପୂର୍ବ ଭାରତରେ ପ୍ଲାଷ୍ଟିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଲିପ୍ରପିଲିନ କାରଖାନାର ଲୋକାର୍ପଣ କରିଛନ୍ତି । ସେହିପରି ମନୋଇଥାଇଲିନ ଗ୍ଲାଇକୋଲ କାରଖାନାର କାର୍ଯ୍ୟାରମ୍ଭ ମଧ୍ୟ କରାଯାଇଛି । ଏଥିସହିତ ପାରାଦୀପ ବନ୍ଦରରେ ଏଲପିଜି ଆମଦାନୀ ଟର୍ମିନାଲ ଓ ୩ଟି ବର୍ଥର ଯାନ୍ତ୍ରୀକିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ।