ହେଡଲାଇନସ୍:

ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ପଡିଲା ଆଧାର ଶିଳା : ବ୍ୟୟ ହେବ ୨୩୪୫ କୋଟି ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରେ ଜାତୀୟ ରାଜପଥର ବିକାଶ ଲାଗି ବିନିଯୋଗ ହେବ ୧ ଲକ୍ଷ କୋଟି ଟଙ୍କା

ବିଜୟୱାଡା-ରାଂଚି ସ୍ୱତନ୍ତ୍ର ରାଜପଥ କରିଡର ଅଧିନରେ ନିର୍ମିତ ହୋଇଛି ୧୧୦୪ କିମି ରାସ୍ତା

ଭୁବନେଶ୍ୱର - କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି କାମାକ୍ଷାନଗରଠାରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଆଧାରଶୀଳା ରଖିଛନ୍ତି । 

୨୩୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନୋଟି ରାଜପଥ ପ୍ରକଳ୍ପ ହେଲା – ତାଳଚେର - କାମାକ୍ଷାନଗର ସେକ୍ସନ (ନୂଆ ଏନ୍ଏଚ-୫୩),  କାମାକ୍ଷାନଗର – ଡୁବୁରି ସେକ୍ସନ (ନୂଆ ଏନଏଚ-୫୩) ଏବଂ ଡୁବୁରି – ଚଣ୍ଡିଖୋଲ ସେକ୍ସନ (ନୂଆ ଏନଏଚ-୫୩) ରାଜମାର୍ଗ । ୪୧.୭୨୬ କିଲୋମିଟର ଦୀର୍ଘର ତାଳଚେର-କାମାକ୍ଷାନଗର ପ୍ରକଳ୍ପ ପାଇଁ ମୋଟ ୭୯୫.୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ୫୧.୧ କିଲୋମିଟର ଦୀର୍ଘର କାମାକ୍ଷାନଗର-ଡୁୁବୁରି ସେକ୍ସନ ପାଇଁ ୭୬୧.୧୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ସେହିପରି ୩୯.୪ କିଲୋମିଟର ଦୀର୍ଘର ଡୁବୁରି-ଚଣ୍ଡିଖୋଲ ସେକ୍ସନ ପାଇଁ ୭୮୯.୨୩ କୋଟି ଟଙ୍କା ବିନିଯୋଗ ହେବ । ତିନୋଟି ଯାକ ରାଜମାର୍ଗ ପ୍ରକଳ୍ପ ଅଧୀନରେ ୩୯ଟି ଛୋଟ ବି୍ରଜ୍, ୯ଟି ବୃହତ ସେତୁ, ୩ଟି ବାଇପାସ, ଗୋଟିଏ ଫ୍ଲାଏଓଭର, ୧୯ଟି ଅଣ୍ଡରପାସ ଏବଂ ୪୫ କିଲୋମିଟର ଦୀର୍ଘର ସର୍ଭିସ ରୋଡ ରହିବ । ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଅନୁଗୁଳ-ଢେ଼ଙ୍କାନାଳ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ନେଟୱର୍କ ବଢ଼ିବ ଏବଂ ଓଡ଼ିଶାର ଅନ୍ୟାନ୍ୟ ଅଂଚଳ ସହ ଯୋଗାଯୋଗ ବୃଦ୍ଧି ପାଇବ । ପ୍ରକଳ୍ପ ନିର୍ମାଣ ଦ୍ୱାରା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଅଂଚଳର ସାମାଜିକ, ଆର୍ଥିକ ବିକାଶ ଘଟିବ ଏବଂ ଯାନବାହନ ଚଳାଚଳ ସମୟର ଯଥେଷ୍ଟ ହ୍ରାସ ଘଟିବ । ଏହାଛଡା ସଡ଼କ ଦୁର୍ଘଟଣା ଯଥେଷ୍ଟ ହ୍ରାସ ପାଇବ ।

ଏହି ଉପଲକ୍ଷେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଲେ ଯେ, କେନ୍ଦ୍ର ସରକାର ଓଡ଼ିଶାରେ ରାଜମାର୍ଗ ନିର୍ମାଣ ଲାଗି ମୋଟ ୮୫ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଛନ୍ତି । କେବଳ ୨୦୧୯ (୧ ବର୍ଷ) ମଧ୍ୟରେ ରାଜ୍ୟରେ ୪୫୯୯ କୋଟି ଟଙ୍କା ବିନିଯୋଗରେ ୧୦୮୦ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏବେ ରାଜ୍ୟରେ ୧୩୩୬ କିଲୋମିଟର ଦୀର୍ଘର ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୧୪ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୪୭୯୪ କିଲୋମିଟର ଦୀର୍ଘର ରାଜପଥ ଯୋଡା ଯାଇଛି ।

ଶ୍ରୀ ଗଡକରୀ କହିଥିଲେ ଯେ, ଭାରତ ପରିଯୋଜନା ଅଧୀନରେ ୩୦ ହଜାର କୋଟି ଟଙ୍କା ବିନିଯୋଗରେ ୧୬୪୫ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ସେଥି ମଧ୍ୟରେ ଗୋପାଳପୁର-ଦୀଘା ୪୫୧ କିଲୋମିଟର ଦୀର୍ଘର ସଡ଼କ, ଜାମୁଝଡ଼ି-ଧାମରା ୫୮ କିଲୋମିଟର ସଡ଼କ, ଓଡ଼ିଶାର ବିଭିନ୍ନ ସହରରେ ୯୩ କିଲୋମିଟରର ରିଂ ରୋଡ, କେନ୍ଦୁଝର-ଡୁବୁରି ୯୯ କିିଲୋମିଟର ରାସ୍ତା, କଟକ-ପାରାଦୀପ ୮୬ କିଲୋମିଟର ସଡ଼କ, ଝାରସୁଗୁଡା-ତିଲେଇବଣି ୮୬ କିଲୋମିଟର ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପରିଯୋଜନା ଅଧୀନରେ ଛତିଶଗଡ, ଓଡ଼ିଶା ସୀମାନ୍ତ ଅଂଚଳରେ ଥିବା କୁଣ୍ଡାଇଠାରୁ ଓଡ଼ିଶା - ଆନ୍ଧ୍ରପ୍ରଦେଶ ସୀମାନ୍ତର ଆନ୍ଦ୍ରାଙ୍ଗି ପର୍ଯ୍ୟନ୍ତ ୨୪୫ କିଲୋମିଟର ସଡ଼କ ଏବଂ ସମ୍ବଲପୁର-ରାଂଚି କରିଡର ମଧ୍ୟରେ ଥିବା ଲିଟିବେଡା-ଜୋରାମ ସେକ୍ସନର ୩୫.୩ କିଲୋମିଟର କାର୍ଯ୍ୟ ଚାଲୁ ରହିଛି ।

ବିଜୟୱାଡା-ରାଂଚି ସ୍ୱତନ୍ତ୍ର ରାଜପଥ କରିଡର ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ ଯେ,  ମୋଟ ୧୨୦୬ କିମି ଦୀର୍ଘର ଏହି ପ୍ରକଳ୍ପ ଅଧୀନରେ ବର୍ତମାନ ସୁଦ୍ଧା ୧୧୦୪ କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି । ସେଥି ମଧ୍ୟରେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟ ରହିଛି । 

ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପୂର୍ବ ଭାରତର ବିକାଶ ଲାଗି କେନ୍ଦ୍ର ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି ଏବଂ ଆହୁରି ଅନେକ ପ୍ରକଳ୍ପ କରିବା ବାକି ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ଅସହଯୋଗ ହେତୁ ଅନେକ ଗୁଡିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନାହିଁ କି ଆଗେଇ ପାରୁନାହିଁ । ଆଉ କିଛି ପ୍ରକଳ୍ପକୁ ରାଜ୍ୟର ମଞ୍ଜୁରି ମିଳୁନଥିବାରୁ ସେ ସବୁ ପ୍ରକଳ୍ପ ଆରମ୍ଭ ହୋଇପାରୁନାହିଁ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ  ଯୋରନ୍ଦା ମହିମା ଗାଦି ଅଂଚଳରେ ଭାରତୀୟ ତୈଳ ନିଗମର ସିଏସଆର ପାଣ୍ଠି ବିନିଯୋଗରେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା  ଲାଗି ପ୍ରସ୍ତାବ ରହିଛି । ହେଲେ ରାଜ୍ୟ ସରକାର ସହଯୋଗ କରୁନଥିବାରୁ ତାହା ଆଗେଇ ପାରୁନାହିଁ । ।

 

0
0
0
s2sdefault