ହେଡଲାଇନସ୍:

ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ଅବହେଳା, ବାଇକରେ ବୁହାହେଲା ଶବ ଘଟଣା, ବିଧାୟକ ଓ ପ୍ରଶାସନ ଙ୍କୁ ଘେରିଲା ବିଜେଡି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

​ଝାରସୁଗୁଡ଼ା, ୬/୭, ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରବିବାର ଦିନ ଶବବାହକ ଗାଡ଼ି ନମିଳିବା ହେତୁ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆ ନିଜ ମୃତ ସ୍ତ୍ରୀ ଯମୁନା ଛତ୍ରିଆଙ୍କ ଶବକୁ ବାଇକରେ ବୋହି ଘରକୁ ଆଣିବା ଭଳି ଏକ ଅମାନୁଷିକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।​ଏହି ସୂଚନା ପାଇବା ପରେ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ସୋମବାର ଦିନ ଓଡ଼ିଆପାଲି ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ। ଏହାପରେ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଏକ ଆପାତକାଳୀନ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା ଝାରସୁଗୁଡା ବିଧାୟକ ଏବଂ ସରକାରଙ୍କ ଉପରକୁ ଅନେକ ସଙ୍ଗୀନ ପ୍ରଶ୍ନ ଉଠାଇ ଏକ ପ୍ରେସ ବିବୃତି ଜାରି କରିଛନ୍ତି।
​ ଗଣତ୍ରା ଅଭିଯୋଗ କରି କହିଛନ୍ତି ଯେ, ଏହା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ବରଂ ଜିଲ୍ଲାର ଭୁଷୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ସେବାର ଏକ ନଗ୍ନ ଚିତ୍ର। ଡାକ୍ତରଙ୍କ ମତରେ ଯଦି ଏହା ଏକ ମେଡିକୋ-ଲିଗାଲ କେସ୍ ଥିଲା ଓ ଶବ ବ୍ୟବଚ୍ଛେଦ ଆବଶ୍ୟକ ଥିଲା, ତେବେ କେଉଁ ଆଇନ ଅନୁଯାୟୀ କେବଳ ଏକ ଅଣ୍ଡରଟେକିଂ ଆଧାରରେ ଶବକୁ ଛାଡ଼ି ଦିଆଗଲା? ଭାରତୀୟ ନାଗରିକ ସୁରକ୍ଷା ସଂହିତା୨୦୨୩ର ନିୟମ ଏଠାରେ ଉଲ୍ଲଂଘନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଶାସନ ଗାଡ଼ି ବ୍ୟବସ୍ଥା କରା ଯାଇଥିବା ଦାବି କରୁଥିବା ବେଳେ ଗାଡ଼ି କେତେବେଳେ ବାହାରିଲା ଓ କେତେବେଳେ ହସ୍ପିଟାଲରେ ପହଞ୍ଚିଲା, ତାର ସମ୍ପୂର୍ଣ୍ଣ ଟାଇମଲାଇନ ସାର୍ବଜନୀନ କରିବାକୁ ବିଜେଡି ଦାବି କରିଛି।
​ଏହି ଘଟଣାର ଏକ ନିରପେକ୍ଷ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ସହ ଡ଼ିଏମଏଫ ଓ ସିଏସଆର ପାଣ୍ଠିରୁ ଝାରସୁଗୁଡ଼ାର ପ୍ରତ୍ୟେକ ବ୍ଲକ, ସିଏଚସି ଓ ଆବଶ୍ୟକ ସ୍ଥାନରେ ୨୪×୭ ଆମ୍ବୁଲାନ୍ସ ଏବଂ ଶବ ବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ସମସ୍ତ ସରକାରୀ ହସ୍ପିଟାଲର ଇମରଜେନ୍ସି ରେସପନ୍ସ ସିଷ୍ଟମର ଅଡିଟ୍ କରି ରିପୋର୍ଟ ସାର୍ବଜନୀନ କରିବାକୁ ଜିଲ୍ଲା ବିଜେଡି ସଭାପତି ଚେତାବନୀ ଦେଇଛନ୍ତି।​ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମହିଳା ସଭାନେତ୍ରୀ ଜୟନ୍ତୀ ବାହୁକ, ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ତାପସ ରାୟ ଚୌଧୁରୀ, ରବି ସିଂ, ଲାଇକେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜୀତ କୁମାର ନାୟକ, ବ୍ଲକ ସଭାପତି ସତ୍ୟ ପ୍ରକାଶ ନାୟକ, ଆଲୋକ ତ୍ରିପାଠୀ, ଭଗବତୀ ବେହେରା,ସମିତି ସଭ୍ୟା ଅନୁପମା ଜୟ ପୁରିଆ ଓ ନୀଳିମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault