ହେଡଲାଇନସ୍:

ସହକାରୀ ନିର୍ଦ୍ଦେଶକ ବିଧିଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗୀୟ ମାମଲା ପରିଚାଳନାରେ ସହକାରୀ ନିର୍ଦ୍ଦେଶକ ବିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର ୦୪.୦୭.୨୦୨୬: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଆଇନ ବିଭାଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ନୂଆ ଆଇନ ପ୍ରଣୟନଠାରୁ ଆରମ୍ଭ କରି ପୁରୁଣା ଆଇନରେ ଆବଶ୍ୟକ ସଂଶୋଧନ ଏବଂ ବିଭିନ୍ନ ବିଭାଗଗୁଡ଼ିକୁ ଆଇନଗତ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନ ବିଭାଗ ସବୁବେଳେ କାର୍ଯ୍ୟକରି ଆସିଛି । ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିକରେ ପଡ଼ି ରହିଥିବା ମାମଲାର ସଠିକ୍‌ ପରିଚାଳନା ଏବଂ ଆଇନଗତ ପରାମର୍ଶ ଦେବା କ୍ଷେତ୍ରରେ ସହକାରୀ ନିର୍ଦ୍ଦେଶକ ବିଧି(ଏ.ଡି.ଏଲ୍‌.)ଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଅନୁଷ୍ଠିତ ଏ.ଡି.ଏଲ୍‌. ଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗରେ ଥିବା ମାମଲାଗୁଡ଼ିକର ସ୍ଥିତି ଓ ଅଗ୍ରଗତି ବିଷୟରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଚାରି ବୁଝିଥିଲେ । ଏଥି ସହିତ ବିଭିନ୍ନ ମାମଲାଗୁଡ଼ିକୁ ପରିଚାଳନା କରିବା ଏବଂ ବିଭାଗକୁ ସଠିକ୍‌ ଆଇନଗତ ପରାମର୍ଶ ଦେବାରେ ଏଡିଏଲ୍‌ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପଡ଼ି ରହିଥିବା ମାମଲାର ତ୍ୱରିତ ସମାଧାନ ଏବଂ ମଧ୍ୟସ୍ଥତା ଆଇନର ସଠିକ୍‌ ଉପଯୋଗ କ୍ଷେତ୍ରରେ ଆଇନ ବିଭାଗ ଓ ସମ୍ପୃକ୍ତ ବିଭାଗ ମଧ୍ୟରେ ଏ. ଡି. ଏଲ. ମାନେ ସେତୁ ଭଳି କାର୍ଯ୍ୟ କରିପାରିବେ । ବର୍ତ୍ତମାନ ସମୟରେ ଏଡିଏଲ୍‌ମାନଙ୍କ ଗୁରୁତ୍ୱ ବେଶ୍‌ ବୃଦ୍ଧି ପାଇଛି । ତେଣୁ ନିଜର ଦକ୍ଷତା ବୃଦ୍ଧି କରି ସମୟୋପଯୋଗୀ ହେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ନୂତନ ନିଯୁକ୍ତି ଏବଂ କ୍ୟାଡର ପୁନର୍ଗଠନ ସହ ଲିଟିଗେସନ୍‌ ମ୍ୟାନେଜ୍‌ମେଣ୍ଟ ପଲିସି ପ୍ରଣୟନ ଓ ମାମଲାଗୁଡ଼ିକର ସଠିକ୍‌ ପରିଚାଳନା ପାଇଁ ଏସ୍‌ଓପି ଜାରିନେଇ ସରକାର ଚିନ୍ତା କରୁଥିବା ନେଇ ସେ କହିଥିଲେ ।

ଏହି ଅବସରରେ ୨୦୨୫-୨୬ ବର୍ଷର ଆଚିଭ୍‌ମେଣ୍ଟ ରିପୋର୍ଟ ପୁସ୍ତିକାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉନ୍ମୋଚନ କରିଥିଲେ ।

ବୈଠକରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault