ହେଡଲାଇନସ୍:

ଆଗାମୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଆର୍.ବି. ହାଇସ୍କୁଲ ସମ୍ମିଳନୀ କକ୍ଷରେ ଆଗାମୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମହାନ ସାରସ୍ୱତ ସାଧକ, ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ସମାରୋହ ଗମ୍ଭୀର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ସାହିତ୍ୟ ସାଧନା, ଶିକ୍ଷା କ୍ଷେତ୍ରରେ ଅବଦାନ ଓ ସମାଜ ପ୍ରତି ତାଙ୍କର ନିଷ୍ଠାକୁ ସ୍ମରଣ କରାଯାଇଥିଲା। ସଭାପତି ଡ଼ଃ ପ୍ରମୋଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସଭାରେ ଉପସଭାପତି ସଂଜୟ ବହିଦାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଅଶୋକ ବହିଦାର ସଭାର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ମନୋଜ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର ମହାନ୍ତି ସମଗ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।ସଭାରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦେଇଥିବା ବେଳେ ଆର୍.ବି. ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଅମ୍ବିକା ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ଅତିଥି ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ପ୍ରତିଛବିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ଜୟନ୍ତୀ ସଭାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଡ଼ଃ ଦୁର୍ଗାଶିଷ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ପୃଷେଠଙ୍କ ଜୀବନ, ସାହିତ୍ୟ ଚିନ୍ତାଧାରା, ସାରସ୍ୱତ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଫେସର ନାରାୟଣ ପୃଷେଠ ଜଣେ ଦକ୍ଷ ଶିକ୍ଷାବିଦ୍‌ ସହିତ ଜଣେ ନିଷ୍ଠାବାନ ସାହିତ୍ୟ ସାଧକ ଥିଲେ। ତାଙ୍କର ସୃଜନଶୀଳତା ଓ ସାହିତ୍ୟ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ମୃତି ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଏହା ସହିତ ଡ଼ଃ ପ୍ରମୋଦ କୁମାର ପାଢ଼ୀଙ୍କ ରଚିତ ସମ୍ବଲପୁରୀ କାବ୍ୟ “ତିନ୍ ଭଅଁରି” ମଧ୍ୟ ଉନ୍ମୋଚିତ ହୋଇଥିଲା। ଉପସ୍ଥିତ ସାହିତ୍ୟପ୍ରେମୀମାନେ ଏହି ପ୍ରକାଶନକୁ ସ୍ୱାଗତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ କିଶୋର ପାତ୍ର, ରମେଶ ଗୁର୍ଲା, ଟେନେସ୍ ପଣ୍ଡା ଓ କୈଳାସ କୁମ୍ଭାର ସହଯୋଗ କରିଥିଲେ। ଶେଷରେ ରାଧାକାନ୍ତ ସୁଆର ଉପସ୍ଥିତ ସମସ୍ତ ଅତିଥି ଓ ସାହିତ୍ୟପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ସମାରୋହରେ ବହୁ ସାହିତ୍ୟିକ, ଶିକ୍ଷାବିଦ୍‌, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦେଇ ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ସ୍ମୃତିଚାରଣ କରିଥିଲେ।

0
0
0
s2sdefault