ହେଡଲାଇନସ୍:

ଡାହାଣୀ ସନ୍ଦେହ ଉଜାଡିଛି ଜୀବନ...14 ବର୍ଷପରେ ମଧ୍ୟ ସାମାଜିକ ଜୀବନରୁ ବଞ୍ଚିତ ନୁନି ଏକ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଗଜ କଲମରେ ରହିଯାଇଛି ପ୍ରଶାସନର ପ୍ରତିଶ୍ରୁତି

ଲାଠିକଟା/ସୁନ୍ଦରଗଡ(ହୋରଚାନ୍ଦ ଦେହୁରୀଆ) - ଭୁଲଥିଲା କେବଳ ଏତିକି ଯେ,ସେ ଘରେ ଭଗବାନଙ୍କ ପଟୋ ରଖି ନିତ୍ୟ ପୂଜା କରୁଥିଲେ। ନିତ୍ୟ ସଞ୍ଜ ସକାଳରେ ସେ ଭଗବାନଙ୍କ ପାଖରେ ଧୁପ,ଦୀପ ଦେଇ ନିଜ ପରିବାରର,ଆତ୍ମୀୟ ସଜ୍ଜନଙ୍କ ମଙ୍ଗଳ କାମନା କରୁଥିଲେ। ହେଲେ ସେଇ ଠାକୁର ପୂଜା,ସେଇ ମଙ୍ଗଳ କାମନା ଦିନେ ତାଙ୍କପାଇଁ ହେଲା କାଳ। ପରବର୍ତ୍ତି ମୁହୁର୍ତ୍ତରେ ସେ ସାଜିଗଲେ ଡାହାଣୀ। ଗାଁ ଲୋକଙ୍କ ଦ୍ଵାରା ରାତିସାରା ବନ୍ଧା ହେଲେ,ମାଡ ଖାଇଲେ,ସର୍ବସମ୍ମୁଖରେ ଉଲଗ୍ନ ହୋଇ ବିଷ୍ଟା ଖାଇଲେ,ଶେଷରେ ଗାଁରୁ ତଡାଖାଇଲେ। ଏ ହେଉଛି ଲାଠିକଟା ବ୍ଳକ ଟାଇସର ପଞ୍ଚାୟତ ଅନ୍ତର୍ଗତ ପାତ୍ରାଟୋଲା ଗାଁର ଡାହାରୁ ଏକ୍କାଙ୍କ ସ୍ତ୍ରୀ ନୁନି ଏକ୍କାଙ୍କ(୫୦) ଦୁଖ କାହାଣୀ। ଆଜି ସମାଜସେବୀ ଶାନ୍ତନୁ କୁସୁମ ଓ ଡାହାଣୀ ସନ୍ଦେହରେ ହିନ୍ସା ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରି ଇତିଶ୍ରୀ ସିଂ ରାଠୋର ନୁନିକୁ ସାକ୍ଷାତ  କରିବା ପାଇଁ ଯାଇଥିବା ବେଳେ ଭୋ ଭୋ କାନ୍ଦିଉଠି ଏପ୍ରକାର ଦୁଖ କାହାଣୀ ବଖାଣିବା ସହିତ ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ପାଇଁ ନେହୁରା ହୋଇଛି। ୨୦୦୪ ମସିହା ମଇ ୪ ତାରିଖ ସନ୍ଧ୍ୟା ସମୟର ଘଟଣା। ଛୁଆ ମାନେ ଘରେ ନଥିବାରୁ ସାହିର ଅନ୍ୟ ଜଣେ ଘରକୁ ଛୁଆ ମାନଙ୍କୁ ଖୋଜିବା ପାଇଁ ଜାଇଥିଲେ ନୁନି। ହଠାତ ସେତିକି ବେଳେ ଉକ୍ତ ଘରର ଜଣେ ଝିଅଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା ଏବଂ ଆକ୍ରୋଶର ଶିକାର ହୋଇଥଲେ ନୁନି। ଉକ୍ତ ଘରେ ତାଙ୍କୁ ବାନ୍ଧି ଗାଁ ଲୋକେ ମାଡମାରିଲେ,ସର୍ବସମ୍ମୁଖରେ ଉଲଗ୍ନ କରି ବିଷ୍ଟା ଖୁଆଇଲେ ଏବଂ ବ୍ରାହ୍ମଣୀ ନଦୀ ପାରକରି ଆଉ ଗାଁ କୁ କେବେ ନ ଆସିବାକୁ ଧମକ ଦେଲେ। ସବୁଠାରୁ ବଡ କଥା ହେଉଛି ଯେ ଏଇଭଳି ପରିସ୍ଥିତିରେ ଜଣେ ହେଲେ ବ୍ୟକ୍ତି ଅତ୍ୟାଚାରୀତା ନୁନିକୁ ଶାହା ହେଲେନି କି ଉକ୍ତ ଘଟଣାର ପ୍ରତିବାଦ କଲେନି। ଏଇ ଘଟଣା ପରେ ନୁନି କଲୁଙ୍ଗା ଫାଣ୍ଡିର ଦ୍ବାରସ୍ଥ ହୋଇଥିଲା ହେଲେ ତା କଥାକୁ ସେତେବେଳର କୌଣସି ପୋଲିସ ଅଧିକାରୀ ଗୁରୁତ୍ୱ ଦେଲେ ନାହି। କିଛି ଦିନପରେ ବିଭିନ୍ନ ଗଣମାଧ୍ୟମର ଏହି ପ୍ରସଙ୍ଗରେ ଖବର ପ୍ରକାଶ ପାଇଲାପରେ ମାନ୍ୟବର କୋର୍ଟ ହସ୍ତକ୍ଷେପ କରିବା ସହିତ ବ୍ରାହ୍ମଣୀତରଙ୍ଗ ପୋଲିସ ମାମଲା ରୁଜୁ କରିଥିଲା। ତାପରେ ତତ୍କାଳୀନ ଜିଲ୍ଲାପାଳଙ୍କ ଠୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ଯାଏ କେତେ ଅଧିକାରୀ ନୁନି ଘରକୁ ଆସିବା ସହିତ କେତେ ପ୍ରତିଶୃତି ଦେଇକି ଯାଇଛନ୍ତି। ହେଲେ ପ୍ରଶାସନର ସବୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। ଏହା ଭିତରେ ଦୀର୍ଘ ୧୪ ବର୍ଷ ବିତିଗଲାଣି।  ଦୁନିଆ କେତେ ପରିବର୍ତ୍ତନ ହୋଇଗଲାଣି। ହେଲେ ଅଭାଗିନି ନୁନିଙ୍କ ଦୁଖ କିନ୍ତୁ ସେମିତି ସଜଡା ହୋଇକି ରହିଯାଇଛି। ବଞ୍ଚିଛି ସତ ହେଲେ ଯନ୍ତ୍ରଣାରେ ଛଟପଟ ହୋଇ। ନା ସେ ଗାଁ ରାସ୍ତାରେ ଠିକ ସେ ଚାଲିପାରେ ନା ଗାଁ ର କାହା ସହିତ ଠିକରେ କଥାବାର୍ତ୍ତା ହୋଇପାର। ସବୁବେଳେ ତାଛଲ୍ୟ ଓ ଘୃଣାର ଶିକାର ହୋଇ ଅଭିଶପ୍ତ ଜୀବନ କାଟୁଛନ୍ତି ନୁନି। ଖାଲି ଯେ ତାଙ୍କର ଜୀବନ ଦୁଖମୟ ଏହା ନୁହେଁ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝୀଅର ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଆଜି ନୁନିଙ୍କ ଜୀବନ ଉପରେ ଅନୁଧ୍ୟାନ କଲାପରେ ସମାଜସେବୀ ଶ୍ରୀ କୁସୁମ ପ୍ରଶାସନର ନିଷ୍କ୍ରିୟତା ଓ ନିରବତାକୁ କଠୋର ଭାଷାରେ ସମାଲୋଚନା କରିବା ସହିତ ନୁନିଙ୍କ ସାମାଜିକ ସୁରକ୍ଷା ନିମିତ୍ତ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

0
0
0
s2sdefault