ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସରକାରୀ ଅନୁଦାନରେ ଚାଲୁଥିବା ଜଳ ଟ୍ୟାଙ୍କରଗୁଡ଼ିକରେ ବେଆଇନ ଭାବେ ରାଜନୈତିକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବାକୁ ନେଇ ଜିଲ୍ଲା ପରିଷଦ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ବୁଧବାର ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଏହି ଦାବିପତ୍ର ଏପିଡି ସୂର୍ଯ୍ୟାଂଶୁ ଋତଙ୍କୁ ଦିଆଯାଇଥିଲା। ଅଭିଯୋଗ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଗରିବ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବହୃତ ସରକାରୀ ଜଳ ଟ୍ୟାଙ୍କରଗୁଡ଼ିକରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନଙ୍କ ଫଟୋ ସହ ବଡ଼ ବଡ଼ ବ୍ୟାନର ଲଗାଯାଇଛି।
ଜିଲ୍ଲା ପରିଷଦ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଅର୍ଥରେ ଚାଲୁଥିବା ସେବାକୁ ବ୍ୟକ୍ତିଗତ କିମ୍ବା ଦଳୀୟ ପ୍ରଚାର ପାଇଁ ବ୍ୟବହାର କରିବା ଅନୈତିକ ଓ ପ୍ରଶାସନିକ ନିରପେକ୍ଷତାର ଉଲ୍ଲଂଘନ। ଏହା ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ କରାଯାଇଛି।
ଦାବିପତ୍ରରେ ଏହି ଘଟଣାର ତୁରନ୍ତ ତଦନ୍ତ କରିବା, ସମସ୍ତ ରାଜନୈତିକ ବ୍ୟାନର ହଟାଇବା ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଏହି ପତ୍ରର ନକଲ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି।
ଏହି ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ସଭ୍ୟ ଦିଗାମ୍ବର ଭୋଇ, ଅକ୍ଷୟ କୁମାର ସାହୁ, ସନତ ସିଂହ, ପୁଷ୍ପଲତା ସେଠ, ରୀତା ବାଗ, ଝରଣା ସାଗର ଓ ନୃପଲାଲ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ।







