ବଡ଼ବିଲ : ଆଜିକାଲି ସୋସିଆଲ ମେଡିଆର ବହୁଳ ଅପବ୍ୟବହାର ସମ୍ପ୍ରତି ଚର୍ଚାର ବିଷୟ ପାଲଟିଥିବା ବେଳେ ବଡ଼ବିଲ ହାଲଚାଲ ନାମକ ସୋସିଆଲ ମେଡିଆ ଗ୍ରୁପ କିନ୍ତୁ ଏହାର ଗଠନମୂଳକ ଦିଗ ଉପରେ ଗୁରୁତ୍ୱ ଦେଇଛି | ଲୋକମାନଙ୍କୁ ଗଠନମୂଳକ ସୂଚନା ଯୋଗାଇଦେବା ସହ ଲୋକଙ୍କ ସେବାରେ ମନୋନିବେଶ କରିଛି | ରକ୍ତଦାନ ମହତ ଦାନ, ଏହି ମର୍ମରେ ସୋସିଆଲ ମିଡ଼ିଆ ଫେସବୁକରେ ଥିବା ଏହି ଗ୍ରୁପ "ବଡ଼ବିଲ ହାଲଚାଲ" ଆଉ ପାଦେ ଆଗକୁ ବଢିଛି। ନେଇଛି ଏକ ପ୍ରଶଂସନୀୟ ପଦକ୍ଷେପ | ସୋସିଆଲ ମିଡ଼ିଆ ମାଧ୍ୟମରେ "ବଡ଼ବିଲ ହାଲଚାଲ" ଗ୍ରୁପ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେଥି ମଧ୍ୟରୁ ବ୍ଲଡ଼ ହେଲ୍ପଲାଇନ ସେବା ଅନ୍ୟତମ। ସ୍ୱେଚ୍ଛାକୃତ ଭାବରେ ଆପାତକାଳୀନ ପରିସ୍ଥିତିରେ ରକ୍ତଦାନ ପାଇଁ "ବଡ଼ବିଲ ହାଲଚାଲ"ରେ ଅନଲାଇନ ପଞ୍ଜିକରଣ ଗତ ୬ ବର୍ଷ ଧରି ଚାଲୁ ରହିଛି। ପ୍ରକାଶ ଥାଉକି ଏହି ଗ୍ରୁପରେ ୪୨,୦୦୦ ସଦସ୍ୟ ରହିଛନ୍ତି। ପଞ୍ଜିକୃତ ସ୍ବେଛାସେବୀ ଆବଶ୍ୟକ ହେଲେ ରକ୍ତଦାନ କରିବାକୁ ସର୍ବଦା ପ୍ରସ୍ତୁତ ରହିଥାନ୍ତି।
୭୦ତମ ଗଣତନ୍ତ୍ର ଦିବସ ଅବସରରେ "ବଡ଼ବିଲ ହାଲଚାଲ"ର ଆଡମିନ ଓ ସଦସ୍ୟଙ୍କ ଉଦ୍ୟମରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ପେରେଡ଼ ପଡ଼ିଆରେ ଏକ ପଞ୍ଜିକରଣ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରରେ ବିଭିନ୍ନ ବ୍ଲଡ଼ ଗ୍ରୁପର ୧୮୧ ଜଣ ପୁରୁଷ ଓ ମହିଳା ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ସ୍ଥଳେ ରକ୍ତଦାନ କରିବାକୁ ନିଜ ନାମ ପଞ୍ଜିକରଣ କରିଥିଲେ। ପୂର୍ବାହ୍ନ ୯ଟା ସମୟରେ ବଡ଼ବିଲ ଫରେଷ୍ଟ ରେଞ୍ଜ ଅଫିସର ପଦ୍ମନାଭ ରାଉତ ଏହି ବ୍ଲଡ଼ ହେଲ୍ପଲାଇନ କେନ୍ଦ୍ରକୁ ଉଦଘାଟନ କରି "ବଡ଼ବିଲ ହାଲଚାଲ" ଗ୍ରୁପର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ଦ୍ୱାରା ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଜନ ହିତକର କାମ ମଧ୍ୟ ହୋଇପାରେ ଏହା ପ୍ରମାଣିତ ହେଲା ବୋଲି କହିଥିଲେ।