ହେଡଲାଇନସ୍:

ରତ୍ନଭଣ୍ଡାର ରତ୍ନ ନିଖୋଜ ଅଭିଯୋଗ: ଝାରସୁଗୁଡା ଜିଲ୍ଲା କଂଗ୍ରେସର ଏତଲା, ତଦନ୍ତ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:  ଆଜି ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରୁ ତିନୋଟି ବହୁମୂଲ୍ୟ ରତ୍ନ ଅଳଙ୍କାର ନିଖୋଜ ହୋଇଥିବା ନେଇ ଉଠିଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ଏତଲା ଦିଆଯାଇଥିବା ସୂଚନା ମିଳିଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ଚାଲିଥିବା ଗଣତିମଣତି ସମୟରେ ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଉକ୍ତି ଆଧାରରେ ତିନୋଟି ରତ୍ନ ଅଳଙ୍କାର ନିଖୋଜ ଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଘଟଣା କୋଟିକୋଟି ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି।

ଅନ୍ୟପକ୍ଷରେ, ଏହି ଗୁରୁତର ଅଭିଯୋଗ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷିତ ବୋଲି ସତ୍ୟପାଠ ଦାଖଲ କରାଯାଇଥିବାକୁ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହା ମାଧ୍ୟମରେ ଘଟଣାକୁ ଘଣ୍ଟ ଘୋଡ଼ାଇବା ଚେଷ୍ଟା ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।

ଜିଲ୍ଲା କଂଗ୍ରେସ ଦାବୀ କରିଛି ଯେ, ଏହି ଘଟଣାର ବିଧିବଦ୍ଧ ଓ ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟସଂହିତାର ଧାରା ୨୯୯ ଓ ୩୫୬ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରାଯାଉ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜୀବନ ସାର୍ଥକ ସହ ରିୟାଜ ହୁସେନ, ମନୀଷ ବାଜପେୟୀ, ଶୈଳେଶ ଅବସ୍ତି, ସଞ୍ଜୟ ମହାପାତ୍ର, ଦେବାନନ୍ଦ ବାରିକ ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault