ହେଡଲାଇନସ୍:

ସିଦ୍ଧାନ୍ତହୀନ ମତଦାତା ସିଦ୍ଧାନ୍ତହୀନ ରାଜନୀତିକୁ ଜନ୍ମ ଦିଏ – ରାଜ୍ୟପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମତଦାନ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ଭୋଟକୁ ଆତ୍ମାର ସ୍ୱର ଭାବରେ ଗ୍ରହଣ କରାଯାଏ । ମତଦାନ ସମୟରେ ବ୍ୟକ୍ତିଗତ ପରିଧିର ଊଦ୍ଧ୍ୱର୍କୁ ଯାଇ ଜାତୀୟ ତଥା ସାମୁହିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଭୋଟର ଦିବସ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ମତଦାତା ହିଁ ପ୍ରକୃତରେ ଭାରତର ଭାଗ୍ୟବିଧାତା । ସେମାନେ ହିଁ ଦେଶର ଦିଶା ନିର୍ଧାରଣ କରିଥାନ୍ତି । ସାଧାରଣ ଲୋକର ଭୋଟର ମୂଲ୍ୟ ଯାହା, ଭାରତର ପ୍ରଧାନ ମନ୍ତ୍ରୀଙ୍କ ଭୋଟର ମୂଲ୍ୟ ମଧ୍ୟ ସେତିକି । ଏଭଳି ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ଭୋଟର  ଉପଯୁକ୍ତ ବ୍ୟବହାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ସିଦ୍ଧାନ୍ତହୀନ ମତଦାତା ହିଁ ସିଦ୍ଧାନ୍ତହୀନ ରାଜନୀତିକୁ ଜନ୍ମ ଦିଏ । ମତଦାତାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ହୃଦୟଙ୍ଗମ କରି ଭୋଟ ଦାନ ମାଧ୍ୟମରେ ପ୍ରତ୍ୟେକ ଭୋଟର ରାଷ୍ଟ୍ର ନିର୍ମାଣରେ ନିଜକୁ ସଂପୃକ୍ତ କରିବାକୁ ରାଜ୍ୟପାଳ କହିଛନ୍ତି ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିବ ଆର. ଯାଦବ, ଡ଼. ଅଭୟ କୁମାର ନାୟକ ପ୍ରମୁଖ ଭାରତର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଭୋଟରମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳ ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ପୋଷ୍ଟର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହିତ ଆଦର୍ଶ ମତଦାନ କେନ୍ଦ୍ର ବୁଲି ଦେଖିଥିଲେ ।

ରାଜ୍ୟପାଳ କେତେକ ନୂଆ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଆକାର କଳା ପଦର୍ଶିତ ହୋଇଥିଲା ।

0
0
0
s2sdefault