କଟକ , ତା.୧୫/୪: ବୟାଳିଶ ମୌଜା ସ୍ଥିତ ବ୍ରହ୍ମପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡ଼ରୁ ସକାଳୁ ଏକ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୪୨ ମୌଜା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତକ ଜଣକ ଏକ ମାଲବାହୀ ପିକଅପ୍ ଗାଡ଼ି ତଳେ ମୁଁହ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ କୁ ଖବର ଦେଇଥିଲେ। ଟିମ୍ ଆସିଲା ପରେ ମୃତଦେହ ଗାଡ଼ି ତଳୁ ବାହାର କରି ତାର ପରିଚୟ ଜାଣିବା ପାଇଁ ସେ ପିନ୍ଧିଥିବା ପ୍ୟାଣ୍ଟ୍ ଏବଂ ବନିୟନ ଯାଞ୍ଚ କରାଯାଇଥିଲା। ତା ପ୍ୟାଣ୍ଟ ପ୍ୟାକେଟରୁ ଏକ ମୋବାଇଲ, ମୋବାଇଲ ଚାର୍ଜର ସହ ଏକ ମନି ପର୍ସ ମିଳିଥିଲା। ମନି ପର୍ସରେ କିଛି ଟଙ୍କା, ଏଟିଏମ୍ ଓ ଆଧାର କାର୍ଡ ମିଳିଥିଲା। ଆଧାର କାର୍ଡ ମିଳିବା ପରେ ପରିଚୟ ଜାଣିବା ପାଇଁ ପୋଲିସକୁ ଟିକିଏ ସହଜ ହୋଇଥିଲା। ଉକ୍ତ ଆଧାର କାର୍ଡରେ ମୃତକ ଜଣକ ସନ୍ତୋଷ କୁମାର ବାରିକ(୪୬), ଘର ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗର, କଟକ ବୋଲି ଲେଖା ଥିଲା। ଖବର ପାଇ ମୃତକଙ୍କ ପତ୍ନୀ ଏବଂ ବାପା ଆସି ମୃତଦେହ ଚିହ୍ନଟ କରିଥିଲେ। ଅନ୍ୟପଟେ ପରିବାର ଲୋକଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମୃତକ ଜଣକ କିଛି ଦିନ ହେବ ୪୨ ମୌଜା ଶ୍ରୀକୃଷ୍ଣବିହାର ଠାରେ ଭଡ଼ାରେ ରହି ଅଟୋ ଚଳାଉଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛି। ପୋଲିସ ମୃତ ଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ କଟକ ଏସସିବି ମେଡିକାଲକୁ ପଠାଇଛନ୍ତି। ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୟୁଡ଼ି କେସ ନମ୍ବର ୯/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଆଇଆଇସି ହେମନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।
ରାଜ୍ୟ
୪୨ମୌଜାରେ ମୃତ ଯୁବକ ଙ୍କ କାରଣ ଅସ୍ପଷ୍ଟ
- Hits: 6








