ହେଡଲାଇନସ୍:

"ବିଲକୁ ପାଣି ନାଇଁ, କାଳିଆ କାହା ପାଇଁ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - କୃଷକମାନଙ୍କ ପାଇଁ ବିଜେଡ଼ି ସରକାର କାଳିଆ ଯୋଜନା ପ୍ରଣୟନ କରି ଭଣ୍ଡେଇବାକୁ ବସିଛନ୍ତି । ଚାଷୀମାନଙ୍କ ଜମିକୁ ପାଣି ଯୋଗାଇବା ପାଇଁ ସରକାର ୧୮ ବର୍ଷ ଭିତରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଚାଷଜମିକୁ ପାଣି ନାହିଁ, ଚାଷ ପାଇଁ ବିହନ ନାହିଁ, ରାଜ୍ୟର ନଦନଦୀ ପୋଖରୀ ଶୁଖିଲା ପଡ଼ୁଥିଲାବେଳେ କାଳିଆ ଯୋଜନାରୁ ଚାଷୀ କିଭଳି ସୁବିଧା ପାଇବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏକ ବିବୃତିରେ ସେ କହିଛନ୍ତି ଯେ କୃଷି ଓଡ଼ିଆ ଅର୍ଥନୀତିର ମେରୁଦଣ୍ଡ ଏବଂ ରାଜ୍ୟର ମୋଟ ଘରୋଇ ଉତ୍ପାଦନରେ ଏହାର ପ୍ରମୁଖ ଅଂଶ ରହିଥିବାବେଳେ ବିଗତ ବର୍ଷଗୁଡ଼ିକରେ ତାହା ହ୍ରାସ ପାଇବାକୁ ଲାଗିଛି । ଏକଥା ଓଡ଼ିଶା ସରକାରଙ୍କ କୃଷି ପରିସଂଖ୍ୟାନ ରିପୋର୍ଟ କହୁଛି । କୃଷି କ୍ଷେତ୍ର ପ୍ରତି ସରକାରୀ ଅବହେଳାା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅଥଚ କେନ୍ଦ୍ରର ବିଜେପି ସରକାରଙ୍କ ସହିତ ସଲାସୁତରାରେ ରାଜ୍ୟ ସରକାର ଭୁଲ୍ ତଥ୍ୟ ଦେଇ କୃଷିକର୍ମଣ ପୁରସ୍କାର ପାଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଜନ୍ମଠାରୁ ମୃତ୍ୟୁ ଯାଏ, ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ଯାଏ ଯୋଜନାର ଲମ୍ବା ଚିଠା ପ୍ରସ୍ତୁତ କରିଥିବା ଓଡ଼ିଶା ସରକାର ଚାଷୀ ଆତ୍ମହତ୍ୟା କାହିଁକି ରୋକି ପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପିସିସି ସଭାପତି କହିଛନ୍ତି ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ଆଗାମୀ ବର୍ଷରେ ବିଦ୍ୟୁତ  ଓ ଜଳସେଚନ ଯୋଜନା ସାମର୍ଥ୍ୟ ହ୍ରାସ ପାଇବାକୁ ଯାଉଛି । ତାହାର କାରଣ ହେଉଛି ହୀରାକୁଦ ଜଳଭଣ୍ଡାର ପଟୁରେ ପୋତି ହୋଇଗଲାଣି, ତାହା ସଫା ହେଉନାହିଁ । ଅନ୍ୟପକ୍ଷରେ ଉପରମୁଣ୍ଡରୁ ଛତିଶଗଡ଼ ପଟୁ ଆଉ ମହାନଦୀକୁ ପାଣି ଆସିବାର ନାହିଁ । ଚଳିତ ରବିଋତୁରେ ଚାଷୀଙ୍କ ପାଇଁ ଜମିରେ ଜଳସେଚନ ନିମନ୍ତେ ସମସ୍ୟା ଦେଖାଦେବ । କିଛିମାସ ତଳେ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ରାଜ୍ୟରେ ଆଉ ୭ଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ତରବରିଆ ଭାବେ ଘୋଷଣା କରିଥିଲେ । ଏବେ ତାହା କୁଆଡେ଼ ଗଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । 

ନିର୍ବାଚନ ପୂର୍ବରୁ ଲୋକଦେଖାଣିଆ ଭାବେ କେବଳ କାଳିଆ ଯୋଜନା ପ୍ରସ୍ତୁତ କରି ତାହା କୃଷକଙ୍କ ପାଇଁ କେତେ ଉପଯୋଗୀ ହୋଇପାରିବ ତାହା ସମୟ କହିବ । ରାଜ୍ୟର ଅଧିକାଂଶ ଚାଷୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ । ସେମାନଙ୍କ ଜମିକୁ ଜଳସେଚନ ସୁବିଧା ସହିତ ସେମାନଙ୍କୁ ଉପଯୁକ୍ତ ବିହନ, କୀଟନାଶକ ଯୋଗାଇ ଦେବା ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ  ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଗଲେ ଚାଷୀମାନେ ଉପକୃତ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault