ହେଡଲାଇନସ୍:

ଗ୍ୟାସ କଳାବଜାରୀ ଅଭିଯୋଗ: ବିତରକ-ବ୍ୟବସାୟୀ ଅସାଧୁ ମେଣ୍ଟରେ ସରକାର ହରାଉଛନ୍ତି ରାଜସ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା -୧୬/୩-(ଶିବରାମ ଚୌଧୁରୀ )-ସରକାରୀ ନିୟମକୁ ବେଖାତିର କରି ବେଲଗୁଣ୍ଠା ଅଞ୍ଚଳରେ ଚାଲିଛି ଗ୍ୟାସର ବେଆଇନ କାରବାର।ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିଲିଣ୍ଡରକୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଇ ବ୍ୟାପକ କଳାବଜାରୀ ଚାଲିଥିବା ବେଳେ, ଏଥିରେ ଗ୍ୟାସ ବିତରକ ଓ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଏବେ ପଦାରେ ପଡ଼ିଛି। ଯାହାଫଳରେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବା ବେଳେ ସାଧାରଣ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି।ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, 'ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା'ର ସରଳ ଗ୍ରାହକମାନଙ୍କୁ ଏହି କଳାବଜାରୀର ମୋହରା ବନାଯାଉଛି। ଗ୍ରାହକଙ୍କ ଅଜାଣତରେ ତାଙ୍କ ନାମରେ ଗ୍ୟାସ ବୁକିଂ କରାଯାଉଛି। ସରକାରଙ୍କ ତରଫରୁ ମିଳୁଥିବା ୩୦୦ ଟଙ୍କାର ସବସିଡି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ଗ୍ରାହକ ଜଣକ ଖୁସି ହୋଇ ଚୁପ୍ ରହୁଛନ୍ତି। ମାତ୍ର ବାସ୍ତବରେ ସେହି ସିଲିଣ୍ଡର ଗ୍ରାହକଙ୍କ ପାଖକୁ ନଯାଇ ବିତରକଙ୍କ ଜରିଆରେ ସିଧାସଳଖ ବ୍ୟବସାୟୀଙ୍କ ପାଖକୁ ଚାଲାଣ ହେଉଛି।
ନିୟମ ଅନୁଯାୟୀ, ହୋଟେଲ, ଢାବା ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ନୀଳ ରଙ୍ଗର 'କମର୍ସିଆଲ ସିଲିଣ୍ଡର' ବ୍ୟବହାର କରିବା କଥା। ମାତ୍ର ଏହାର ଦାମ ଅଧିକ ଥିବାରୁ ବ୍ୟବସାୟୀମାନେ ବିତରକଙ୍କ ସହ ସଲାସୁତୁରା କରି କମ୍ ଦାମରେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଲାଲ ରଙ୍ଗର ସିଲିଣ୍ଡର ବ୍ୟବହାର କରୁଛନ୍ତି।ବ୍ୟବସାୟିକ ଗ୍ୟାସର ବିକ୍ରି କମୁଛି।ସରକାରଙ୍କୁ ମିଳୁଥିବା ଟିକସ ବା ରାଜସ୍ୱରେ ବଡ଼ ଧରଣର ବାଧା ସୃଷ୍ଟି ହେଉଛି।ସବସିଡି ଟଙ୍କାର ଅପବ୍ୟବହାର କରାଯାଇ ସରକାରୀ ଅର୍ଥକୁ ହରିଲୁଟ୍ କରାଯାଉଛି। ବର୍ତ୍ତମାନ ଭାରତରେ ଗ୍ୟାସ୍ ସଙ୍କଟ ମଧ୍ୟରେ ଏହି ଘଟଣା ପଦାକୁ ଆସି ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ବେଆଇନ କାରବାର ଯୋଗୁଁ ଏବେ ବହୁ ଉଜ୍ଜ୍ୱଳା ଗ୍ରାହକ ଓ ବିତରକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଲାଣି। ଯେତେବେଳେ ଜଣେ ପ୍ରକୃତ ଗ୍ରାହକ ଗ୍ୟାସ ପାଇଁ ଯାଉଛନ୍ତି, ସେତେବେଳେ ତାଙ୍କ ନାମରେ ପୂର୍ବରୁ ଗ୍ୟାସ ଉଠାଯାଇଥିବା ଦେଖିବାକୁ ମିଳୁଛି। ଗତ ତିନିଦିନ ହେଲା ବହୁ ଉଜ୍ବଳା ହିତାଧିକାରୀ ବେଲଗୁଣ୍ଠା ସ୍ଥିତ କେ ଏସ ୟୁ ବି ଇଣ୍ଡେନ ଗ୍ୟାସ ବିତରକ କାଯ୍ୟଳୟରେ ପହଞ୍ଚି ଆମ ଅଜାଣତରେ କାହିଁକି ପୂର୍ବରୁ ଗ୍ୟାସ ବୁକିଂ କରୁଥିଲ ବୋଲି ଅଭିଯୋଗ କରୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ବେଲଗୁଣ୍ଠା ଅଞ୍ଚଳରେ ଚାଲିଥିବା ଏହି ବ୍ୟାପକ ଗ୍ୟାସ କଳାବଜାରୀ ଉପରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି ଏବଂ ଏହି ଅସାଧୁ ବ୍ୟବସାୟୀ ଓ ବିତରକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault