ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ସରକାରୀ ଭତ୍ତା ବଣ୍ଟନକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ୨୦୧୪ ମସିହାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ନାଁରେ ଏବେ ପର୍ଯ୍ୟନ୍ତ ସରକାରୀ ଭତ୍ତା ଟଙ୍କା ଉଠୁଥିବା ଘଟଣା ପ୍ରକାଶ ପାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଛାଉଣୀ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାକୁ ଦୀର୍ଘ ସମୟ ହୋଇଥିଲେ ମଧ୍ୟ ସରକାରୀ ତଥ୍ୟ ତାଲିକାରୁ ତାଙ୍କର ନାଁ କଟାଯାଇନି। ଫଳରେ ପ୍ରତିମାସ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବା ଅଭିଯୋଗ ହେଉଛି। କିଏ ଏହି ଟଙ୍କା ଉଠାଉଛି ଓ କିପରି ଏଭଳି ଅନିୟମିତତା ଦୀର୍ଘଦିନ ଧରି ଚାଲିଆସୁଛି, ସେଥିପାଇଁ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ।ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳରୁ ମଧ୍ୟ ଏଭଳି ଭତ୍ତା ଟଙ୍କା ଅନିୟମିତତା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ସେଠାରେ ମଧ୍ୟ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ପୁଣିଥରେ ଗାଇସିଲେଟ ବ୍ଲକରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବାରୁ ସରକାରୀ ଭତ୍ତା ବଣ୍ଟନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତଦନ୍ତରେ ଯଦି ଅନିୟମିତତା ସତ୍ୟ ପ୍ରମାଣିତ ହୁଏ, ତେବେ ଜଡିତ ବ୍ୟକ୍ତି ଓ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।ଏହି ଘଟଣା ପୁଣିଥରେ ସରକାରୀ ଭତ୍ତା ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମିତ ଯାଞ୍ଚର ଆବଶ୍ୟକତାକୁ ସ୍ପଷ୍ଟ କରିଛି। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି l
ରାଜ୍ୟ
ଗାଇସିଲେଟ ବ୍ଲକରେ ଭତ୍ତା ଟଙ୍କା ପାଇଁ ପୋଲିସ ଛାଉଣୀ, ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଉଠୁଥିବା ଅଭିଯୋଗ
- Hits: 3








