ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଦାନ୍ତର କୋଇଲା ଖଣି ପ୍ରକଳ୍ପକୁ ଅନୁମୋଦନ; ଦସ୍ତାବିଜ ଅଭାବରୁ OPTCL ପ୍ରସ୍ତାବ ସ୍ଥଗିତ

ଝାରସୁଗୁଡ଼ା, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଜଙ୍ଗଲ ଅଧିକାର ଆଇନ-୨୦୦୬ (FRA) ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ଜମିର ଅଣ-ଜଙ୍ଗଲ ବ୍ୟବହାର ଏବଂ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ, ବେଦାନ୍ତ କମ୍ପାନୀର କୁଡ଼ାଲୋଇ (ଏ) ନର୍ଥ କୋଇଲା ଖଣି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ବ୍ୟବହାର ପ୍ରସ୍ତାବକୁ କମିଟି ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ, ଓପିଟିସିଏଲ୍ (OPTCL) ପକ୍ଷରୁ ଟ୍ରାନ୍ସମିସନ ଲାଇନ ପାଇଁ ଦିଆଯାଇଥିବା ପ୍ରସ୍ତାବରେ ଆବଶ୍ୟକୀୟ ଦସ୍ତାବିଜର ଅଭାବ ଥିବାରୁ, ଏହାକୁ ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେହିପରି କିର୍ମିରା ଓ ଲଖନପୁର ବ୍ଲକର ୬୪ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି କ୍ଷେତ୍ରରେ ପୂର୍ବରୁ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯେଉଁଥିପାଇଁ ଜମି ସତ୍ତ୍ୱଲିପି (RoR) ସଂଶୋଧନରେ ସମସ୍ୟା ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ଯେଉଁ ହିତାଧିକାରୀମାନେ ପ୍ରକୃତରେ ଜଙ୍ଗଲ ଜମି ଦଖଲରେ ନାହାନ୍ତି, ସେମାନଙ୍କ ଦାବିକୁ ନାକଚ କରାଯିବ। ଆଗାମୀ ଦିନରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ଦାବିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

0
0
0
s2sdefault