ପାଇକମାଲ/ଗୌରାଙ୍ଗ ଚରଣ ଦାଶ - ଗତ 7 ତାରିଖ ଦିନ ପାଇକମାଲ ନାଗରିକ କମିଟି ର ସଚେତନ ଓ ବୁଦ୍ଧିଜୀବୀ ନାଗରିକ ମାନେ ବରଗଡ଼ SP ଙ୍କୁ ଏକ ଲିଖିତ ଜ୍ଞାପନ ମେଲ ଓ ସ୍ପିଡ଼ ପୋଷ୍ଟ ଯୋଗେ ପଠାଇଥିଲେ । ଏଥିରେ ମୁଖ୍ୟତଃ ପାଇକମାଲ କିଛି ସମସ୍ୟା ବାବଦରେ ଉଲ୍ଲେଖ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇଁ ଏସପିଙ୍କୁ ଜଣାଇଥିଲେ । ସମସ୍ୟା ଗୁଡିକ ଥିଲା , ପାଇକମାଲ ର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଆଇନ କଫ ସିରଫ ଓ ମଦ , ପାଇକମାଲ ମୁଖ୍ୟ ଛକ ଓ ଅନ୍ୟାନ୍ୟ ସ୍ଥାନରେ ରହିଥିବା ଟ୍ରାଫିକ ସମସ୍ୟା , ପାଇକମାଲ ଥାନା ସମ୍ମୁଖ ରେ ଦୋକାନ କରିଥିବା ବହିସ୍କୃତ ହୋମଗାର୍ଡ ଗୋପାଳ ସା ର ଗତିବିଧି ଓ ଥାନା କାର୍ଯରେ ମାତ୍ରାଧିକ ହସ୍ତକ୍ଷେପ ଇତ୍ୟାଦି |
ଏସପି ବରଗଡ ଶ୍ରୀ ମୁକେଶ କୁମାର ଭାମୋଙ୍କର ନିର୍ଦେଶ ରେ ପଦ୍ମପୁର ଏସଡ଼ିପିଓ ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଆଜି ପାଇକମାଲ ପହଂଚି ପାଇକମାଲ ଥାନାରେ ଏକ ଆଲୋଚନାର ଆୟୋଜନ କରିଥିଲେ । ଉକ୍ତ ଆଲୋଚନା ରେ ଶ୍ରୀ ପଣ୍ଡା ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ନାଗରିକଙ୍କର ସମସ୍ତ ଅଭିଯୋଗକୁ ଶୁଣିଥିଲେ । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା ହେଇଥିଲା । ଶ୍ରୀ ପଣ୍ଡା କହିଥିଲେ ଯେ ସବୁ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ କରାଯିବ । ଶ୍ରୀ ପଣ୍ଡାଙ୍କର ସହିତ ଆଲୋଚନା ପରେ ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ପାଇକମାଲ ବଣିକ ସଂଘ ର ସଭାପତି ଶ୍ରୀ ଯୁଗକ କିଶୋର ମେହେର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏସଡ଼ିପିଓ ଶ୍ରୀ ପଣ୍ଡାଙ୍କର ସହିତ ଆଜିର ଆଲୋଚନା ସଫଳ ରହିଥିଲା | ଆଶା ଓ ବିଶ୍ୱାସ ଯେ ପୋଲିସ ବିଭାଗ ଦେଇଥିବା ପ୍ରତିଶୃତି ନିଶ୍ଚିତ ଭାବରେ କାର୍ଯକାରୀ କରିବେ । ଉକ୍ତ ଆଲୋଚନାରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ, ବରିଷ୍ଠ ଅଧିବକ୍ତା ଶ୍ରୀ ରାମ ରତନ ପୁରୋହିତ ,ଅଧିବକ୍ତା ରାଜୁ ସାହୁ , ସୁମିତ କୁମାର ଅଗ୍ରୱାଲ , ପଂଚାୟତ ସମିତି ସଭ୍ୟ ବିଜୟ କୁମାର ସ୍ୱାଇଁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର କାଳିଆ ,ଶ୍ରୀ ସରୋଜ ସାମଲ , ସାମ୍ବାଦିକ ବଡ ଶତପଥୀ ,ସୁରଥ ସାହୁ ,ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।