ହେଡଲାଇନସ୍:

ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ବାର ଆସୋସିଏସନ ପକ୍ଷରୁ ଜାନୁଆରୀ ୧୭ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଅରବିନ୍ଦ ଦାସ )- ବାରିପଦାଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘ ବର୍ଷ ଧରି ଚାଲି ଆସୁଛି । ଏଥି ସହିତ ବିଭିନ୍ନ ସମୟରେ ବାରିପଦା ଓ ମୟୂରଭଞ୍ଜ ବନ୍ଦ ମଧ୍ୟ ପାଳିତ ହୋଇ ଆସୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରିପଦା ବାର ଆସୋସିଏସନ ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ଫଳରେ ବାରିପଦା ବାର ଆସୋସିଏସନ ଚଳାଇ ଆସୁଥିବା ଆନେ୍ଦାଳନକୁ ଅଧିକ ତୀବ୍ର କରିବା ନିମନ୍ତେ ଗୋଟାଏ ପାଦ ଆଗକୁ ଆଗେଇ ଚଳିତ ଜାନୁଆରୀ ୧୭ରୁ ୧୯ ପର୍ଯ୍ୟନ୍ତ ୩ ଦିନ ଧରି କୋର୍ଟ କାମକାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିବାର ନିଷ୍ପତ୍ତି ନେଇଛି । ଜାନୁଆରୀ ୧୬ ବାରିପଦା ବାର ଆସୋସିଏସନର ସମ୍ପାଦକ ଆଇନଜୀବୀ ବିପ୍ଳବ ବାରିକଙ୍କ ଆହ୍ୱାନ କ୍ରମେ ଓ ସଭାପତି ପ୍ରବୀର ବସାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସୋସିଏସନର କର୍ମକର୍ତ୍ତାମାନଙ୍କ ସହିତ ସମସ୍ତ ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇ ସର୍ବ ସମ୍ମତି କ୍ରମେ ଉକ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଆସୋସିଏସନର ସମ୍ପାଦକ ଶ୍ରୀବାରିକ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାର ଆଧାରରେ ବାର ଆସୋସିଏସନ ପକ୍ଷରୁ ଜାନୁଆରୀ ୧୭ରୁ ତିନିଦିନ ଧରି କୋର୍ଟର ମୁଖ୍ୟ ଫାଟକରେ ତାଲା ପକାଇ କୋର୍ଟ କାମକାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେବାର ଡ଼ାକରା ଦେଇଛି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ସମୟରେ ଉତ୍ତର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ ପୂର୍ବକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି । ଫଳରେ ନିଜର ହକ୍ ଆଦାୟ ସମସ୍ତ ଓକିଲମାନେ ଆଗେଇ ଆସିଛନ୍ତି । ଗୁରୁବାର ପୂର୍ବାହ୍ନରେ  ସମସ୍ତ ଆଇନଜୀବୀମାନେ କୋର୍ଟ ପରିସରରେ ଉପସ୍ଥିତ ହେବା ପରେ ବାରିପଦାଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏକ ବିଶାଳ ପଦଯାତ୍ରାରେ ବାହାରି  ସହର ପରିକ୍ରମା କରିବେ । ଏହି ସମୟରେ ସହର ତଥା ଜିଲ୍ଲାବାସୀଙ୍କ ପ୍ରତି  ଓଡ଼ିଶା ସରକାରଙ୍କର ରହିଥିବା ବୈମାତୃକ ମନୋଭାବର ଅସଲ ଚିତ୍ରର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ  ପହଁଞ୍ଚାଇ ଦିଆଯିବ ବୋଲି ସମ୍ପାଦକ ଶ୍ରୀବାରିକ ସୂଚନା ପ୍ରଦାନ କରିଥିଲେ । 

 

0
0
0
s2sdefault