ହେଡଲାଇନସ୍:

ଲୋକକଳାର ମହାକୁମ୍ଭ: ଭବାନୀପାଟଣା ସଦର ବ୍ଲକର ୨୮ତମ ‘କଳାହାଣ୍ଡି ଉତ୍ସବ-ଘୁମୁରା’ ଉଦ୍‌ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସ୍ଥାନୀୟ ସଦର ବ୍ଲକ ପଞ୍ଚାୟତ ସମିତି ପରିସରରେ ମହାସମାରୋହରେ ଅନୁଷ୍ଠିତ ୨୮ତମ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬’ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ ପ୍ରଶାସନ ଓ ପାଳନ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣଙ୍କ ଲୋକକଳା ଓ ସଂସ୍କୃତିର ଏକ ମହାମିଳନରେ ପରିଣତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ଏକ ଭବ୍ୟ ମଶାଲ ଓ କଳସ ଯାତ୍ରା ବାହାରି ଉତ୍ସବ ପ୍ରାଙ୍ଗଣରେ ପହଞ୍ଚିବା ପରେ ମଞ୍ଚ ଉଦ୍‌ଘାଟିତ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବିଙ୍କ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରତିଭାଙ୍କୁ ସମ୍ମାନିତ କରିଥିବା ସହିତ ସ୍ୱାଗତ ଅଭିଭାଷଣ ରଖିଥିଲେ।ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହ ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରୀୟ ସଫଳ କଳାକାର, ଶ୍ରେଷ୍ଠ ମହିଳା ସଶକ୍ତିକରଣ (SHG) ଗୋଷ୍ଠୀ, ପ୍ରଶାସନିକ, ଶିକ୍ଷା ଓ ବୃତ୍ତିଗତ ସଫଳତା ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ସମେତ କ୍ରୀଡ଼ା, କୃଷି ଓ ମତ୍ସ୍ୟ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ସମାଜସେବୀ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଲାଞ୍ଜିଗଡ ବିଧାୟକ ମାନ୍ୟବର ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ,ସମ୍ମାନିତ ଅତିଥି ଭାବରେ ସଦର ବିଧାୟକ ପ୍ରତିନିଧି କୁଞ୍ଜବିହାରୀ ସାହୁ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଏଡିଓ ଜିଲ୍ଲା ପରିଷଦ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର କଳାହାଣ୍ଡି କ୍ଷୀରୋଦ ନାଗ, ବିଡ଼ିଓ ଚନ୍ଦନ କୁମାର ଭୋଇ, ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ,ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, ସିଡିପିଓ ନିୟତିବାଳା ସୋରେନ,
ପ୍ରମୁଖ ଯୋଗଦେଇ କଳାହାଣ୍ଡିର ସୃଜନଶୀଳତା ଓ କଳା-ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭବାନୀପାଟଣା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟାଙ୍କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ମଂଚାସୀନ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଅତିରିକ୍ତ ବିଡ଼ିଓ ଶ୍ରୀଧର ପଣ୍ଡା ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ଅଧିକାରୀ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ| ଦୂରଦର୍ଶନ ଉଦଘୋଷିକା ଲିପସା ମହାରଣା ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସ୍ଥାନୀୟ ଏବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଦ୍ୱାରା ମଂଚାସୀନ ସମସ୍ତ ଅତିଥି ବୃନ୍ଦ, ପ୍ରଶାସନ ଓ ସର୍ବସାଧାରଣ ଙ୍କୁ ସଫଳ ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

0
0
0
s2sdefault