ମାଗୁରଜଙ୍ଗଲ ଗାଁରେ ହାତୀ ଆତଙ୍କ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲାଠୋର ଜଙ୍ଗଲ ବିଭାଗରେ ଦୀର୍ଘଦିନ ଧରି ଖାଲି ରେଞ୍ଜର ପଦବୀ

ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୦୪/୦୧:- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁ ଏବେ ଭୟଙ୍କର ହାତୀ ଆତଙ୍କରେ ଥରଥର କମ୍ପିତ। ଗତ କିଛି ଦିନ ଧରି ହାତୀ ଝୁଣ୍ଡ ବାରମ୍ବାର ଗାଁ ଭିତରକୁ ପ୍ରବେଶ କରି ଧାନ ଚାଷ, ଘରବାଡ଼ ଓ ଗୁହାଳକୁ ଭାରି କ୍ଷତି କରୁଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି।
ରାତି ହେଲେ ଘର ଛାଡ଼ି ଖୋଲା ଜାଗାରେ ରହିବାକୁ ଲୋକେ ବାଧ୍ୟ ହେଉଥିବା ଅଭିଯୋଗ ଆସୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାଗୁରଜଙ୍ଗଲ ମହନିଲହ ସେକ୍ସନ ଅନ୍ତର୍ଗତ ଥିବା ସତ୍ତ୍ୱେ ଲାଠୋର ଜଙ୍ଗଲ ବିଭାଗରେ ରେଞ୍ଜର ପଦବୀ ଦୀର୍ଘଦିନ ଧରି ଖାଲି ରହିଛି। ବର୍ତ୍ତମାନ କଣ୍ଟାବାଞ୍ଜି ରେଞ୍ଜରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ, ସମଗ୍ର ସେକ୍ସନର କାର୍ଯ୍ୟଭାର ପ୍ରାୟ ଜଣେ କର୍ମଚାରୀଙ୍କ ଭରସାରେ ଛାଡ଼ି ଦିଆଯାଇଛି ବୋଲି ଗମ୍ଭୀର ଅଭିଯୋଗ ଉଠୁଛି।
ଗ୍ରାମବାସୀମାନେ କହୁଛନ୍ତି, ମାନବ–ହାତୀ ସଂଘର୍ଷ ପ୍ରବଣ ଏହି ସଂବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ କର୍ମଚାରୀ, ଅଧିକାରୀ ଓ ସ୍ଥାୟୀ ନଜରଦାରୀ ବ୍ୟବସ୍ଥା ଅତ୍ୟାବଶ୍ୟକ। କିନ୍ତୁ ରେଞ୍ଜର ପଦବୀ ଖାଲି ଥିବାରୁ ହାତୀ ଆତଙ୍କ ସମୟରେ ତୁରନ୍ତ ରେସ୍ପନ୍ସ ଟିମ୍ ପହଞ୍ଚୁନଥିବା, ହାତୀ ଚଳାଚଳ ଉପରେ ନିୟମିତ ନଜର ନଥିବା ଓ ସଚେତନତା କାର୍ଯ୍ୟକ୍ରମ ନ ହେଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଅନ୍ୟପଟେ, ହାତୀ ଦ୍ୱାରା ହୋଇଥିବା ଫସଲ, ଘରବାଡ଼ କ୍ଷତି ପାଇଁ କ୍ଷତିପୂରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବାରୁ ପ୍ରଭାବିତ ପରିବାରମାନେ ଗଭୀର ଆର୍ଥିକ ସଂକଟରେ ପଡ଼ିଛନ୍ତି। ମୂଲ୍ୟାଙ୍କନ ଓ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ବ ପଛରେ ରେଞ୍ଜର ନଥିବା ମୁଖ୍ୟ କାରଣ ବୋଲି ଅଭିଯୋଗ। ଏହି ଘଟଣାକୁ ନେଇ ମାଗୁରଜଙ୍ଗଲ ଓ ଆଖପାଖ ଗାଁର ଲୋକେ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ଲାଠୋର ରେଞ୍ଜର ପଦବୀ ପୂରଣ, ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି ଓ ସ୍ଥାୟୀ ହାତୀ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସମୟରେ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ବଡ଼ ଅଘଟଣ ଘଟିବାର ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

0
0
0
s2sdefault