ବାପାଙ୍କ ଅଷ୍ଟମ କ୍ରିୟା ସୋମବାର ସକାଳେ ସାନ ପୁଅର ମୃତ୍ୟୁ ଘଟିଛି,
ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମରେ ୧୭ ଦିନ ମଧ୍ୟରେ ପଛକୁ ପଛ ହୋଇ ବାପ ଏବଂ ୨ ପୁଅଙ୍କ ମୃତ୍ୟୁ ଘଟଣା ଚେମେଡି ଗାଁରେ ଚହଳ ପକାଇ ଦେଇଥିବା ବେଳେ ସାରା ପଞ୍ଚାୟତରେ କୋକୁଆ ଭୟ ସୃଷ୍ଟି କରିଛି । ଭୟ ଏବଂ ଆଶଙ୍କା ମଧ୍ୟରେ ମୃତ୍ୟୁର କାରଣ ଖୋଜୁଛନ୍ତି ପଞ୍ଚାୟତବାସୀ ।ଘରର ୩ ଜଣଙ୍କ ମୃତ୍ୟୁ ପରେ ଉଜୁଡି ଯାଇଛି ତାଙ୍କ ସଂସାର । ହାତରୁ ଭାଙ୍ଗିଛି ଶଙ୍ଖା, ମଥାରୁ ଲିଭିଛି ସିନ୍ଦୂର । ବିଧବା ହୋଇଛନ୍ତି ଶାଶୁ ଓ ବୋହୁ। ଶାଶୁ ସ୍ବାମୀ ସହିତ ୨ ପୁଅଙ୍କୁ ହରାଇଥିବା ବେଳେ ବୋହୁ ଶଶୁର, ସ୍ବାମୀ ଓ ଦିଅରକୁ ହରାଇଛି । ୨ ନାବାଳିକା ଜେଜବାପା, ବାପା ଏବଂ ଦାଦାକୁ ହରାଇ ଅନାଥ ହୋଇଯାଇଛନ୍ତି । ଏବେ ଯେପରି ପରିବାରର ମୁଣ୍ଡରେ ତାଙ୍କର ଆକାଶ ଛିଣ୍ଡି ପଡ଼ିଛି । ଏପରି ଏକ ଦୁର୍ଘଟଣାକୁ ସାମ୍ନା କରୁଛନ୍ତି ଚେମେଡି ଗାଁର ସ୍ୱର୍ଗତ ମାଙ୍କୁ ନାୟକଙ୍କ ପରିବାର । ଜରରେ ପଡ଼ି ମୃତ୍ୟୁ ବରଣ କରିଥିବା ବାପା ମାଙ୍କୁ ନାୟକ(୬୫)ଙ୍କ ମୃତ୍ୟୁର ଆଜି ଅଷ୍ଟମ ଦିନ ସୁଦ୍ଧି କ୍ରିୟାରେ କ୍ରିୟା ଧରିଥିବା ସାନ ପୁଅ ମୁନା ନାୟକ(୨୨)ର ଆଜି ସକାଳେ ମୃତ୍ୟୁ ଘଟିଥିଲା । ଆଜକୁ ଠିକ୍ ୧୭ ଦିନ ପୂର୍ବେ ସାମାନ୍ୟ ପେଟ କାଟୁଥିବା କାରଣରୁ ବଡ଼ ପୁଅ ସୁଶାନ୍ତ ନାୟକ(୩୬) ମୃତ୍ୟୁ ବରଣ କରିଥିଲେ।ଏବେ ପରିବାର ହୋଇଛି ପୁରୁଷ ଶୂନ୍ୟ । ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ମୃତ୍ୟୁ ପରେ ଉକ୍ତ ପରିବାର ବଞ୍ଚିବ କିପରି ବୋଲି ଆଲୋଚନା ହେଉଛି । ୨ ନାବାଳିକାଙ୍କ ଭବିଷ୍ୟତ ଏବେ କଣ ହେବ ? ଏଭଳି ଦୁର୍ଦ୍ଦିନରେ ପରିବାରକୁ ତ୍ୱରିତ ସାହାଯ୍ୟ ସହଯୋଗର ଆବଶ୍ୟକ ରହିଛି ।ସରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ଦଳବେହେରା ଏପରି ଦୁର୍ଦ୍ଦିନରେ ଥିବା ପରିବାରକୁ ଭେଟିଛନ୍ତି । ଅନ୍ୟ ପକ୍ଷରେ ୧୭ ଦିନ ମଧ୍ୟରେ ଗୋଟିଏ ପରିବାରର ଏକକାଳିନ ୩ ପୁରୁଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅନୁସନ୍ଧାନର ଆବଶ୍ୟକତା ରହିଛି । କାରଣ ଏପରି ଦୁର୍ଦ୍ଦଶା ଯେପରି ଅନ୍ୟ କୌଣସି ପରିବାରର ନଭୋଗନ୍ତି । ପୋଲିସ, ଅବକାରୀ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ସଚେତନତା ଏପରି ଦୁର୍ଦ୍ଦିନରେ ସହାୟକ ହୋଇପାରିବ ବୋଲି ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।











