ହେଡଲାଇନସ୍:

ଓ ଟି ଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୧୭ ତମ ରାଷ୍ଟ୍ରୀୟ ଅଧିବେଶନ ମଧ୍ୟପ୍ରଦେଶର ରେବା ଠାରେ ନଭେମ୍ବର ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଶୀର୍ଷକ ଥିଲା "ଆତ୍ମବୋଧ ସେ ବିଶ୍ଵବୋଧ"। ଏହି ସମ୍ମିଳନୀରେ ଓ ଟି ଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ସହିତ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।
ଓ ଟି ଟି ପ୍ଲାଟଫର୍ମ ଏବଂ ଗେମିଂ ଆପରେ ପ୍ରସାରିତ ହେଉଥିବା ପ୍ରତ୍ୟେକଟି କାର୍ଯ୍ୟକ୍ରମ ଉପରେ ଉପଯୁକ୍ତ ପରୀକ୍ଷା ନିରୀକ୍ଷା , ଆଇନ ପ୍ରଣୟନ ଓ ବର୍ଗୀକରଣ ପାଇଁ ଭାରତ ସରକାରଙ୍କ ଦ୍ଵାରା ଏକ ସଶକ୍ତ ସ୍ଵାଧୀନ ନିୟାମକ ସଂସ୍ଥାର ଗଠନ କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଡିଜିଟାଲ ମାଧ୍ୟମରେ ପ୍ରସ୍ତୁତ ଯେକୌଣସି ଦୃଶ୍ୟ , ସମ୍ବାଦ , ଅଥବା ବିଚାର ଯାହା ଭାରତର ସାମ୍ବିଧାନିକ ଗରିମା , ଧାର୍ମିକ ଆସ୍ଥା , ସାଂସ୍କୃତିକ ମୂଲ୍ୟବୋଧ ଅଥବା ସାମାଜିକ ମର୍ଯ୍ୟାଦା ଏବଂ ସନାତନ ପରମ୍ପରାକୁ ଆହତ କରୁଛି ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଅନିବାର୍ଯ୍ୟ ହୋଇପଡିଛି । କିଶୋର ଓ ଯୁବ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଆଇନ ଅନୁଯାୟୀ ନିୟନ୍ତ୍ରଣ କରାଯିବା ଦରକାର। ସେହିପରି ମଞ୍ଚ ଅଶ୍ଳୀଳତା , ହିଂସା , ନିଶା କାରବାର ବିକୃତ ଜୀବନ ମୂଲ୍ୟବୋଧର ପ୍ରଚାର ପ୍ରସାର କରୁଛନ୍ତି । ସେମାନଙ୍କ ବିରୋଧରେ କଠୋର ଦଣ୍ଡାତ୍ମକ ଆଇନ ପ୍ରଣୟନ କରିବା ପାଇଁ ନିବେଦନ କରାଯାଇଥିଲା।
ଭାରତୀୟ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଭାରତୀୟ ଜୀବନ ମୂଲ୍ୟବୋଧ ଉପରେ ଆଧାରିତ ଵୈପ୍ଲବିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରାଯାଉ ବୋଲି ମତ ଉପସ୍ଥାପନ କରାଯାଇଥିଲା।ଏହି ତଥ୍ଯକୁ ନେଇ ପ୍ରତ୍ଯେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ , ଓଡିଶା ଅନ୍ତର୍ଗତ ଗଜପତି ଶାଖା ମହେନ୍ଦ୍ର ତନୟା ସାହିତ୍ଯ ସଂସଦ ତରଫରୁ ଆଜି (ଶୁକ୍ରବାର ) ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡଃ କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଗଜପତି ଜିଲ୍ଲାର ସାମ୍ବାଦିକ ସମ୍ମିଳନୀରେ ଓ ଟି ଟି ସାମଗ୍ରୀ ଉପରେ କଟକଣା ନିମନ୍ତେ ଆଇନ ପ୍ରଣୟନ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶର ରେବା ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୧୭ ତମ ସମ୍ମିଳନୀରେ ଯୋଗ ଦେଇଥିବା ଶ୍ରୀ ରାଜେନ୍ଦ୍ର କୁମାର ରଥ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସମେତ ଜିଲ୍ଲା ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀମତୀ ବବିତା ପୁରୋହିତ , ଶ୍ରୀ ଅରକ୍ଷିତ ଜେନ , ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଶ୍ରୀମତୀ ସଙ୍ଗୀତା ପାତ୍ରଙ୍କ ସମେତ ସମସ୍ତ ସଭ୍ୟା ସଭ୍ୟମାନେ ଯୋଗ ଦେଇଥିଲେ।

0
0
0
s2sdefault