ଡୁଙ୍ଗୁରିପାଲି ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ) ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଡୁଙ୍ଗୁରିପାଲି ମିଳିତ ପକ୍ଷରୁ ମାତୃ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲିଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ବୈଠକରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସାସ୍ଥ୍ୟ ଅଧିକାରୀ ଡା ରମେଶ ଚନ୍ଦ୍ର ସାଇଁ ଯୋଗଦେଇ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ବାରା ମାଁ ଓ ଶିଶୁ ମଧ୍ୟରେ କିଭଳି ଭାବ ଓ ସ୍ନେହର ବନ୍ଧନ ସୁଦୃଢ ହୋଇଥାଏ ସେ ବିଷୟରେ ଆଲୋଚନା କରିଥିଲେ । ଏହା ସହ ସେ ଶିଶୁକୁ ସ୍ତନ୍ୟପାନ କରାଇବା ମାଆର ଆଇନଗତ ଅଧିକାର ଏବଂ ଏଥିରୁ କେହି ବଂଚିତ କରିପାରିବେ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶେଷଦେବ ଥନାପତି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବା ସହ ଜନ୍ମରୁ ଛଅ ମାସ ଯାଏ ଶିଶୁକୁ କେବଳ ମାଁ କ୍ଷୀର ପିଆଇବାକୁ ପରାମର୍ଶ ଦେଇଥିଲେ ।ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା କିରନପ୍ରଭା ଡୁଙ୍ଗଡୁଙ୍ଗ ଅସ୍ତ୍ରୋପଚାର ପ୍ରସବ ପରେ କିପରି ଶିଶୁକୁ ସ୍ତନ୍ୟପାନ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ସାଧାରଣ କିମ୍ବା ଅସ୍ତୋପଚାର ପ୍ରସବ ହେଉ ଯେ କୌଣସି ପରିସ୍ଥିତିରେ ଶିଶୁକୁ ସ୍ତନ୍ୟପାନ କରିବା ଦ୍ବାରା ମାଁ ଓ ଶିଶୁର ସାସ୍ଥ୍ୟର ଉନ୍ନତି ହୋଇଥାଏ।
ମାଁ କ୍ଷୀର ଅମୃତ ସମାନ-ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା ସରୋଜ କୁମାର ସେଠ୍ ତାଙ୍କ ବକ୍ତବ୍ୟରେ କହିଥିଲେ । ସେ ମଧ୍ୟ ଶିଶୁ ଜନ୍ମ ହେଲା ପରେ ଯେତେ ଶୀଘ୍ର ସମ୍ଭବ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦେଇଥିଲେ । ସ୍ତନ୍ୟପାନ କରାଇବା ମାଁ ପାଇଁ ଏକ ଅପୂର୍ବ ଅନୁଭୁତି । ଯେଉଁ ଶିଶୁ ସ୍ତନ୍ୟପାନ କରିଛି ତାଠାରୁ ସୌଭାଗ୍ୟବାନ ଆଉ କେହି ନାହିଁ ବୋଲି ସେ କହିଥିଲେ । ସ୍ତନ୍ୟପାନ କରାଇବା ଦ୍ବାରା ମାଁର କର୍କଟ ରୋଗ ହେବାର ସମ୍ଭାବନା କମିଯାଇଥାଏ ଏବଂ ପରବର୍ତୀ ଗର୍ଭସଂଚାର ହେବାର ସମ୍ଭାବନା ମଧ୍ୟ କମିଯାଇଥାଏ ବୋଲି ସେ କହିଥିଲେ ।ଶିଶୁ ରୋଗ ବିଶେଷଜ୍ଞ ଡା. ଶାନ୍ତନୁ କୁମାର ମେହେର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଶିଶୁ ପାଇଁ ଯେତେ କ୍ଷୀର ଆବଶ୍ୟକ ତାହା ସ୍ତନରୁ କ୍ଷରିତ ହୋଇଥାଏ । ମାଁ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ଵ ରହିଛି । ଏଣୁ ଶିଶୁକୁ କଷ କ୍ଷୀର ପିଆଇବା ସହ ଛଅମାସ ଯାଏ କେବଳ ଏବଂ କେବଳ ମାଁ କ୍ଷୀର ପିଆଇବା ଅନିବାର୍ଯ୍ୟ । ଏହା ସହ ଜା.ମେହେର ସ୍ତନ୍ୟପାନ ଶିଶୁପାଇଁ ନିରାପଦ, ପାଚନ ଯୋଗ୍ୟ ତଥା ସ୍ତନ୍ୟପାନ ଦ୍ବାରା ଶିଶୁ, ମାଆ, ପରିବାର ତଥା ସମାଜର କିଭଳି ଲାଭ ହୋଇଥାଏ ସେ ବିଷୟରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍ତନ୍ୟପାନ ଓ ଏହାର ଉପକାରିତା ସମ୍ବନ୍ଧୀୟ ଏକ ଲିଫଲେଟ ଅତିଥିମାନଙ୍କଦ୍ବାରା ଉନ୍ମୋଚନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ସେମାନଙ୍କ ପରିଜନ ତଥା ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜନସାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶେଷଦେବ ଥନାପତି ପରିଚାଳନା କରିଥିଲେ। ବିପିଏମ ନାରାୟଣ ମେହେର ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଦୀପ ଦାସ, ମୋତିଲାଲ ଖମାରି, କରୁଣା ଦୀପ, ତେଜରାଜ କର୍ମୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault