ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ , ଓଡିଶା ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଏବଂ ଓଡିଶା ଲୋକ ସେବା ଅଧିକାର ଓ ଅଧିନିୟମ-୨୦୧୨ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନାରେ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ଓ ଅଧିକାର ଯୋଗାଇ ଦିଆଯାଉଅଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ ହୋଇ କିଭଳି ଜଣେ ଉପକୃତ ହୋଇପାରିବ ତାହା କହିଥିଲେ । ଅନ୍ୟପକ୍ଷରେ ଏଭଳି କର୍ମଶାଳାରୁ ଆମେ ଯାହା ସବୁଜାଣିବା, ଶିଖିବା ଓ ସଚେତନ ହେବା- ତାହା ଦୈନନ୍ଦିନ କାର୍ଯ୍ୟରେ ଲଗାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡିଶା ଲୋକସେବା ଅଧିକାର ଆଇନ ଓ ଅଧିନିୟମ- ୨୦୧୨ର ରୁପ ଢଙ୍ଗ, କାର୍ଯ୍ୟକାରୀତା ଏବଂ ଆମର ଦାୟିତ୍ୱବୋଧକତା ଉପରେ କହି ଏହି ଦିଗରେ ସ୍ୱଚ୍ଛତା ଦଳଗତ କାର୍ଯ୍ୟ ଓ ବୈଷୟିକତା ରଖିବା ଆବଶ୍ୟକତା ଉପରେ କହିଥିଲେ । ମୁଖ୍ୟତଃ ଏ ଦିଗରେ ସରକାରୀ କର୍ମଚାରୀ ଓ ଜନସାଧାରଣ ଙ୍କୁ ଉପରୋକ୍ତ ଅଧିକାର ଆଇନ ଓ ଅଧିନିୟମ- ୨୦୧୨ ଉପରେ ବିଭିନ୍ନ ଦିଗରେ ଯେଉଁ ସବୁ ରହିଛି, ସେ ଦିଗରେ ସ୍ୱଚ୍ଛତା ଅବଲମ୍ୱନ କଲେ ପ୍ରତ୍ୟେକ କ୍ଷେତ୍ରରେ ଆମର ଅସୁବିଧାର ସମ୍ମୁଖୀନ ହେବା କମ୍ ହୋଇପାରିବ । ସେଥିପାଇଁ ସମସ୍ତଙ୍କୁ ଏ ଦିଗରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଓଡିଶା ଜି.ଏ ଏବଂ ପି.ଜି (ଏ.ଆର ବିଭାଗ) ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ମଂଜୁଳା ଆଚାର୍ଯ୍ୟ ଏବଂ ରାଜକିଶୋର ପଟ୍ଟନାୟକ ପ୍ରମୁଖ କର୍ମଶାଳାରେ ଦକ୍ଷ ପ୍ରଶିକ୍ଷକ ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ଆଇନ , ଅଧିକାରୀଙ୍କ ଭୁମିକା , ଯୋଜନା ଆଇନର ସଠିକ ପରିଚାଳନା ପ୍ରଭୃତିର ଦିଗ ଉପରେ ବୁଝାଇ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇ ଇ-ମୁନିସପାଲିଟି ବ୍ୟବସ୍ଥା , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ - ସାରଥୀ ଏବଂ ବାହନ, ଜିଲ୍ଲା ସବ୍ରେଜିଷ୍ଟ୍ରାର-ଇରେଜିଷ୍ଟ୍ରେସନ ବ୍ୟବସ୍ଥା ଉପରେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ - ପ୍ରେରଣା-ବ୍ୟବସ୍ଥା ଉପରେ ବୁଝାଇଥିଲେ । ଏହି କର୍ମଶାଳା କାର୍ଯ୍ୟକ୍ରମରେ କଲେକ୍ଟେରେଟର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଯୋଗେଦଇ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଓ ଉଦ୍ଦେଶ୍ୟ ଉପରେ କହିଥିବା ବେଳେ ଶତାଧିକ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ଯୋଜନା- ଆଇନ ଉପରେ ଆଲୋଚନା କରି ସଚେତନ ହୋଇଥିଲେ ।