ହେଡଲାଇନସ୍:

ପୂଜକ ଏବଂ ସୁଆର ସେବକଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଦୈନିକ ପ୍ରାପ୍ୟ ୫ଶହ ଟଙ୍କାକୁ ବୃଦ୍ଧି,

  • ସିଂହାସନ ରୂପାର ଛାଉଣୀ ପାଇଁ ବ୍ୟୟ ଅଟକଳ,

  • ୭ଦିନ ମଧ୍ୟରେ ଉଠା ଦୋକାନୀ ସ୍ଥାୟୀ ଗୃହକୁ ଯାଆନ୍ତୁ,


ଓଡ଼ଗାଁ,୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଏକ ମିଳିତ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉପସ୍ଥିତିରେ ପୂଜକ ଓ ସୁଆର ସେବକ ପରିଷଦର କାର୍ଯ୍ୟକର୍ତା ଏବଂ ଦେବୋତ୍ତର ବିଭାଗ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଜିଲ୍ଲା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଜିଲ୍ଲା ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପୂଜକ ଓ ସୁଆର ସେବକଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ନିଷ୍ପତ୍ତି ଅନୁସାରେ ପୂଜକ ଓ ସୁଆର ସେବକଙ୍କ ଦୈନିକ ପ୍ରାପ୍ୟ ୧୪୦ ଟଙ୍କାରୁ ୫ଶହ ଟଙ୍କାକୁ ବୃଦ୍ଧି କରାଗଲା । ସିଂହାସନ ରୂପାର ଛାଉଣୀ ପାଇଁ ବ୍ୟୟ ଅଟକଳ କରିବା ଏବଂ ଦର୍ଶନୀ ଗମ୍ଭିରାରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଲାଗିବା ନିମନ୍ତେ ସ୍ଥିର ହେଲା ।

ଉଠା ଦୋକାନୀଙ୍କୁ ସ୍ଥାୟୀ ଦୋକାନ ଗୃହକୁ ସପ୍ତାହକ ମଧ୍ୟରେ ସ୍ଥାନାନ୍ତର କରିବା ସହିତ ୨୦୧୨ ଠାରୁ ହୁଣ୍ଡି ହିସାବ କରିବା, ଖଜା ଦୋକାନୀଙ୍କ ଠାରୁ ବାକିଆ ଘରଭଡ଼ା ଅସୁଲ ପାଇଁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ୨ମାସରେ ଥରେ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ମନ୍ଦିର ସମସ୍ୟାର ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବଂ ସେବାୟତମାନଙ୍କୁ ବଣ୍ଟନ କରାଯାଇଥିବା ପ୍ଳଟକୁ ଯିବା ନିମନ୍ତେ ରାସ୍ତା ନିର୍ମାଣ ପାଇଁ ଏନ୍ଏସି ଅଧିକାରୀ ସମ୍ମତି ପ୍ରକାଶ କରିଥିଲେ । ଏସବୁ ସତ୍ତ୍ୱେ ରୋଷ ଘର ମରାମତ କିମ୍ବା ନିର୍ମାଣ ନହେଲେ ବର୍ଷା ଋତୁରେ ପ୍ରସାଦ ପ୍ରସ୍ତୁତିର ସମସ୍ୟା ଉପୁଜିବ ।ଏଥିପ୍ରତି ଧ୍ୟାନ ଦେବାକୁ ସୁଆର ସେବକ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

0
0
0
s2sdefault