ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ବାମୀଙ୍କ ଶୁଭ ମନାସି ସାବିତ୍ରୀ ପାଳିଲେ ସାବିତ୍ରୀ ବ୍ରତ । ପତିବ୍ରତା ନାରୀ ପାଇଁ ଗର୍ବ ଓ ଗୌରବର ପ୍ରତୀକ ହେଉଛି ତା'ର ଶଙ୍ଖା ଓ ସିନ୍ଦୂର । ସ୍ବାମୀଙ୍କ ସୁସ୍ଥ ନିରୋଗ ଓ ଦୀର୍ଘ ନିରାମୟ ଜୀବନ କାମନା କରି ଜଣେ ସ୍ତ୍ରୀ ସ୍ବାମୀଙ୍କ ପାଇଁ ଜ୍ୟେଷ୍ଠ ଅମାବାସ୍ୟା ଏହି ବ୍ରତ ଉପାସନା କରିଥାନ୍ତି । ଏହି ଅବସରରେ ସୋମବାର ଅମାବାସ୍ୟା ତିଥିରେ ବ୍ରତ ପାଳନ ପାଇଁ ଓଡ଼ଗାଁରେ ଥିବା ସାବିତ୍ରୀ ମନ୍ଦିରରେ ପୂଜା କାର୍ଯ୍ୟ ପାଇଁ ସଧବା ନାରୀମାନଙ୍କର ଭିଡ଼ ଜମିଥିଲା । ନୂତନ ବସ୍ତ୍ର, ସିନ୍ଦୂର, ଚୂଡ଼ି ଓ ନାନା ରକମର ଫଳ ଫୁଲ ନେଇ ସଧବା ନାରୀମାନେ ମନ୍ଦିରରେ ଭୋଗ ଲଗାଇଥିଲେ । ଅନେକେ ପ୍ରଥା ପରମ୍ପରା ଆଧାରରେ ଘରମାନଙ୍କରେ ଶିଳ ଶିଳପୁଆକୁ ପ୍ରତୀକାତ୍ମକ ଭାବେ ସାବିତ୍ରୀ ସତ୍ୟବାନ ରୁପେ ସଜାଇ ପୂଜାଅର୍ଚ୍ଚନା କରିଥିଲେ । ଶିଳ ଓ ଶିଳପୁଆକୁ ପ୍ରଥମେ ପଞ୍ଚାମୃତ ଜଳରେ ସ୍ନାନ କରାଇବା ସହିତ ବଟା ହଳଦିରେ ସତ୍ୟବାନ ସାବିତ୍ରୀଙ୍କର ରୁପ ଦେଇଥିଲେ ।ଦେବୀ ସାବିତ୍ରୀ ଓ ସତ୍ୟବାନଙ୍କୁ ନୂତନ ବସ୍ତ୍ର ଅଳଙ୍କାର ପିନ୍ଧାଇ ସଜ୍ଜିତ କରି ବସାଇବା ପରେ ସାବିତ୍ରୀ ପୁରାଣ ପଠନ କରାଯାଇଥିଲା ।
ପଣ୍ଡିତ ବ୍ରାହ୍ମଣଙ୍କ ଦ୍ୱାରା ପୁଷ୍ପ, ଧୂପ, ଦୀପ, ଅର୍ଘ୍ୟ ବନ୍ଦାପନା କରି ନୈବେଦ୍ୟ ଅର୍ପଣ କରିଥିଲେ।ପରମ୍ପରା ଆଧାରରେ ବ୍ରତଧାରୀ ସଧବା ନାରୀମାନେ ଉପବାସ ରହି ପ୍ରଭୁଙ୍କ ନିକଟରେ ସ୍ୱାମୀଙ୍କ ମଙ୍ଗଳ କାମନା କରିବା ସହିତ ଶେଷ ଯାତ୍ରା ପର୍ଯ୍ୟନ୍ତ ପତିଙ୍କର ହାତ ଧରି ଚାଲିବା ପାଇଁ ପ୍ରାର୍ଥନା କରିଥିଲେ । ଓଡ଼ଗାଁ ଶ୍ରୀରଘୁନାଥଙ୍କ ପୀଠ ଏବଂ ଲକ୍ଷ୍ମୀ ବଜାର ଲକ୍ଷ୍ମୀ ମନ୍ଦିର ପରିସରରେ ସତ୍ୟବାନ ସାବିତ୍ରୀଙ୍କର ମନ୍ଦିର ରହିଥିବାରୁ ସେଠାରେ ଅନେକ ବ୍ରତଧାରୀ ପୂଜାର୍ଚ୍ଚନା କରିଥିଲେ।ଏହିପରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅପରାହ୍ନ ପର୍ଯ୍ୟନ୍ତ ବ୍ରତ ପାଳନ ଦେଖିବାକୁ ମିଳିଥିଲା।ଏବଂ ସନ୍ଧ୍ୟାରେ ଉପାସକମାନେ ବିଭିନ୍ନ ଦେବାଳୟରେ ଦେବ ଦର୍ଶନ କରିଥିଲେ ।