ହେଡଲାଇନସ୍:

ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଘନ ସଚେତନତା ଓ ତୃଣମୂଳ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ ପାଇଁ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯/୫ : ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ ବାସଗୃହଠାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ଅଧିନରେ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଠାରୁ ଆରମ୍ଭ କରି ସବ୍ ସେଣ୍ଟର୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଆବଶ୍ୟକୀୟ ପରିମାଣ ଔଷଧ ମହଜୁଦ ରଖିବା ପାଇଁ ଶାସନ ସଚିବ ଅଶ୍ୱତୀ. ଏସ୍ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମ ସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲୋକ ପ୍ରତିନିଧି, ବହୁମୁଖି ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ସାମିଲ କରି ଜନସାଧାରଣଙ୍କୁ ପ୍ରତିରୋଧକ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଠିକ୍ ସୂଚନା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଦୀର୍ଘସ୍ଥାୟୀ ଔଷଧଯୁକ୍ତ ମଶାରୀର ଶତପ୍ରତିଶତ ବଣ୍ଟନ ଏବଂ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ବ୍ୟବହାର ଉପରେ ବିଶେଷ ଗୁରୁତ୍ଵ ଦେଇ ଆଶାକର୍ମୀ ଏବଂ ବହୁମୁଖି ସ୍ଵାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଏହାକୁ ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଜିଲ୍ଲାମାନଙ୍କୁ ଗସ୍ତ କରି ସେଠାରେ ଅବସ୍ଥାନ କରିବା ସହ ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ଵରର ନିରୂପଣ ନିମନ୍ତେ ଟେଷ୍ଟିଂ-କିଟ୍ ର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ଵତନ୍ତ୍ର ଶାସନ ସଚିବ ତଥା ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବିଗତ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ୭ଟି ଜିଲ୍ଲାର ସମ୍ବେଦନଶୀଳ ସାମାଜିକ ବର୍ଗମାନଙ୍କ ମଧ୍ୟରେ ଶତ ପ୍ରତିଶତ ବଣ୍ଟନ ପାଇଁ ୪୦.୪୯ ଲକ୍ଷରୁ ଉର୍ଦ୍ଧ୍ଵ ଔଷଧଯୁକ୍ତ ମଶାରୀ ଯୋଗାଇ ଦିଆଯାଇଛି । ତେଣୁ ଏହି ଜିଲ୍ଲାମାନଙ୍କରେ ପ୍ରତିରୋଧକ, ନିରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏହି ଲକ୍ଷ୍ୟଭେଦୀ ଅଭିଯାନର ସବୁ କାର୍ଯ୍ୟକ୍ରମ ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା.ଡି ଙ୍କ ତତ୍ତ୍ୱାବଧାନରେ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ବୃନ୍ଦ, ବିଶେଷଜ୍ଞ ଓ ପରାମର୍ଶଦାତାମାନେ ବୈଠକର ଆଲୋଚନାର ଅଂଶଗ୍ରହଣ କରିଥିଲେ । ବୈଠକଟି ଉଭୟ ଅନ୍-ଲାଇନ୍ ଏବଂ ଅଫ୍-ଲାଇନ୍ ମୋଡ୍ ରେ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault