ପୁରୀ,(ଅନିମେଶ ପଟ୍ଟନାୟକ): ରଥଖଳାରେ ଆଗେଇ ଚାଲିଛି ବିଶ୍ୱ ନିୟନ୍ତାଙ୍କ ତିନି ରଥ ନିର୍ମାଣ। ରଥଖଳାରେ ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡା ବିନ୍ଧ ଶେଷ ହୋଇଯାଇଛି । ରବିବାର ଭୋଇ ସେବକ ମାନେ ତିନିରଥର ତୁମ୍ବରେ ସିଙ୍ଗଡା ବାଡିଆ କାର୍ଯ୍ଯ ଯନ୍ତା ଗାଡରେ ଶେଷ କରିଥିଲେ । ଶେଷ ସିଙ୍ଗଡା ବାଡିଆ ତୁମ୍ବ ତିନିରଥର ଚାଳି ମହାରଣା ମାନଙ୍କୁ ହସ୍ତାନ୍ତର କରିବା ପରେ ଯନ୍ତାଗାଡ ପୋତାପର୍ବ ଭୋଇ ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ତିନିରଥର ପ୍ରଥମ ଭୂଇଁ, ଦ୍ବିତୀୟ ଭୂଇଁ ଓ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ଟି ଲେଖାଁଏ ୨୦ ଫୁଟିଆ ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ ପୂଜା ତିନିରଥର ମୁଖ୍ଯ ମହାରଣାଙ୍କ ଦ୍ବାରା ଶେଷ ହୋଇଛି ।
ଚଉତା କାଠ ଗୁଡିକରେ ୫ଟି ଲେଖାଁଏ ପାଖୂଡା ବିନ୍ଧ କାମ ସରିଛି । ତିନିରଥର ୪୨ ଯୋକାର ନିର୍ମାଣ କାର୍ଯ୍ଯ ସରିଛି । ୧୮ ଫୁଟିଆ ଯୋକା ଗୁଡିକ ରଥର ଅଖ,କୁଡୁକା, ଗୟଳ ଓ ନିରାଡିକୁ ମଜବୁତ କରି ବାନ୍ଧି ରଖିବାରେ ସହାୟକ ହୋଇଥାଏ । ତିନିରଥର ୮ ଟି ଲେଖାଁଏ ୨୦ ଫୁଟିଆ ୧୪ ନାହାକର ଚଉପଟ କମ ସରିଛି । ସେଗୁଡିକର ଆଠକଣି କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ସୋମବାର ସୁଦ୍ଧା ତିନିରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ରୂପକାର ମାନେ କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାମ କରୁଛନ୍ତି । ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକରେ ପଲିସି କରି ଅଳଙ୍କାର କାର୍ଯ୍ଯ ଜାରି ରଖିଛନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଘଡି ମୁହଁ ଦଣ୍ଡାକଣ୍ଟା ,ଦଣ୍ଡା ବିଡିଆ ଓ ଅଗ ପାତେଳି କଣ୍ଟା ନିର୍ମାଣ କାର୍ଯ୍ଯ କରୁଛନ୍ତି । ପରମ୍ପରା ଅନୁଯାଇ ସ୍ନାନ ପୂର୍ଣ୍ଣିମା ଦିନ ଚାରି ନାହାକା ଉଠିବା ପାଇଁ ବିଧି ରହିଛି ।
ବିଶ୍ବପ୍ରସିଦ୍ଧ ରଥଖଳାକୁ ପର୍ଯ୍ଯାୟ କ୍ରମେ ରଥକାଠ ଆସି ପହଞ୍ଚୁଛି । ରବିବାର ଦିନ ଏକ ଟ୍ରକରେ ରଥକାଠ ପୁରୀରେ ରଥଖଳାରେ ପହଞ୍ଚିଥିଲା । ସେଥିରେ ଆସିଥିବା କାଠ ମଧ୍ଯରେ ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଏବଂ ୨୨ ଖଣ୍ଡ ରହିଛି କାଠ ଗୁଡିକ ବୌଦ୍ଧ କଣ୍ଟାମାଳ ବନଖଣ୍ଡରୁ ଆସିଥବା ଜଣାପଡିଛି ।