ପୁରୀ, (ଅନିମେଶ ପଟ୍ଟନାୟକ): ସୋମବାର ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ସାବିତ୍ରୀ ବ୍ରତ ପାଳାତ ହୋଇଯାଇଛି । ସାବିତ୍ରୀ ପାଇଁ ସ୍ଥାନୀୟ ଲୋକ ମାନେ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।
ଶ୍ରୀମନ୍ଦିର ଭିତରେ ଥିବା ମାଆ ଭୁବନେଶ୍ଵରୀ ମନ୍ଦିରରେ ଦେବୀ ମା ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲମ୍ବା ଧାଡ଼ି ଲାଗି ରହିଥିବା ଦେଖାଯାଇଥିଲା । ସେବକ ପତି ମହାପାତ୍ର ସାବିତ୍ରୀଙ୍କ ମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ପ୍ରାତଃରୁ ସ୍ନାନକରି ପୁରୀର ସଧବା ମହିଳା ଓ ନୂଆ ବିବାହିତା ମହିଳାମାନେ ଥାଳିରେ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ଓ ବିଭିନ୍ନ ଫୁଲ,ଫଳ, ନଡ଼ିଆ, ଗୁଆ ସହ ବ୍ରତ ଧରି ଲାଗି କରିବା ପାଇଁ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଅନ୍ୟପଟେ ପୁରୀର ସାହି ମାନଙ୍କରେ ଥିବା ବିଭିନ୍ନ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ପାଇଁ ଗହଳି ଲାଗିରହିଥିବା ଦେଖାଯାଇଥିଲା । ପବିତ୍ରତା ନିଷ୍ଠା, ଭକ୍ତିର ସହ ଉପବାସ ରହି ନୂଆ ଶାଢୀ ପିନ୍ଧି,ଗୋଡ଼ରେ ଅଳତା ମଥାରେ ସିନ୍ଦୁର,ହାତରେ ନାଲି ଶଙ୍ଖା ପିନ୍ଧିଥିଲେ । ବଟବୃକ୍ଷ ମୂଳରେ ଜଳ ଦେବା ପରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା ସହ ଶୁଭମନାସୀ ସ୍ବାମୀଙ୍କ ପାଦପଦ୍ମ ତଳେ ଭୂମିଷ୍ଠ ପ୍ରଣାମ କରି ନିଜର ସୌଭାଗ୍ୟ ଅର୍ଜନ କରିଥିଲେ । ପୂଜାର୍ଚ୍ଚନା ପରେ ଗଜା ମୁଗ, ନଡ଼ିଆ, ସେଓ, ଅଙ୍ଗୁର, କମଳା, କଦଳୀ, ଲିଚୁ, ଖଜୁରି, ଗୋଟା ତାଳ, ପଣସ ଓ ସପୁରୀ ଆଦି ଭୋଗ ସେବନ କରିଥିଲେ । ବିଭିନ୍ନ ସାହି ଗଳି କନ୍ଦିରେ ମହିଳା ମାନେ ମଧ୍ଯ ଘରେ ଘରେ ଏକତ୍ରୀତ ହୋଇ ଶିଳ ଓ ଶିଳୁପୁଆକୁ ହଳଦୀ, ଚନ୍ଦନ, ସିନ୍ଦୁର ସହ ଫୁଲ ଲଗାଇ ହୁଳହୁଳି ପକାଇ ସାବିତ୍ରୀ ବ୍ରତ ବହି ପାଠ କରି ପୂଜାର୍ଚ୍ଚନା କରିଥିଲେ । ପୁରୀଜିଲ୍ଲା ସମେତ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖାଯାଇଥିଲା । ଦିନଯାକ ଉପବାସ ରହି ପଣା ପିଇବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିଥିଲେ । ପୌରାଣିକ କଥା ମତ ଅନୁସାରେ ପୃଥିବୀ ପୃଷ୍ଠରେ ବଟ ବୃକ୍ଷକୁ ଜୀବନର ପ୍ରତୀକ ବୋଲି କୁହାଯାଏ । ବଟ ସାବିତ୍ରୀ ବ୍ରତ କଥାରେ ସାବିତ୍ରୀ ତାଙ୍କର ପତି ସତ୍ୟବାନଙ୍କୁ ନିଜର ସତୀତ୍ବର ଶକ୍ତି ଦ୍ଵାରା ଯମଙ୍କ ଠାରୁ ଫେରାଇ ଆଣିଥିଲେ । ଏହି ବ୍ରତରେ ବୃକ୍ଷର ଚାରିପଟେ ନାଲି ସୂତା ବାନ୍ଧି ମହିଳା ମାନେ ସେମାନଙ୍କ ପତିର ଦୀର୍ଘାୟୁ କାମନା କରିବା ସହିତ ଅଖଣ୍ଡ ସୌଭାଗ୍ୟ ପାଇଁ ଏହି ବ୍ରତକୁ ବିଧିବିଧାନ ସହିତ କରିଥାନ୍ତି ।
ରାଜ୍ୟ
ଶ୍ରୀମନ୍ଦିରରେ ସାବିତ୍ରୀ ବ୍ରତ ପାଳିତ; ଶ୍ରୀକ୍ଷେତ୍ରର ବିଭିନ୍ନ ମନ୍ଦିରରେ ନିଷ୍ଠାର ସହ ବ୍ରତ ପାଳିଲେ ପୁରୀବାସୀ
- Hits: 268