ପୁରୀ, (ଅନିମେଶ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜାଧିଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିନିର୍ଘଣ୍ଟ, ବ୍ଯବସ୍ଥାବଳୀ,ନୀତିକାନ୍ତି, ପହଣ୍ଡି, ରଥଟଣା ଓ ଦର୍ଶନ ବ୍ଯବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ପରେ ଗଜପତି ମହାରାଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରିନଥିବାରୁ ପୂର୍ବତନ ପରିଚାଳନା କମିଟି ଓ ମୁଖ୍ଯ ପ୍ରଶାସକଙ୍କ ଅନୁମୋଦନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡପ ପହଣ୍ଡି, ବାହୁଡା ଯାତ୍ରା,ସୁନାବେଶ ଓ ନିଳାଦ୍ରୀ ବିଜେ କିପରି ଶୃଙ୍ଖଳିତ ହେବ ଏ ସଂପର୍କରେ ସଭ୍ଯମାନେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ ବୈଠକ ପରେ ସୂଚନା ଦେଇ କହିଛନ୍ତି ରଥଯାତ୍ରା ପାଇଁ ଏହା ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ । ଛତିଶା ନିଯୋଗରେ ରଥଯାତ୍ରା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଅନୁଷ୍ଠିତ ପହଣ୍ଡି ଗୁଡିକ କିଭଳି ଶୃଙ୍ଖଳିତ କରାଯିବ ଓ ଚାରମାଳକୁ ସଠିକ ଗଡାଣିଆ କରାଯିବ ଏଥିପାଇଁ ଅଧିକ ଚାରମାଳ କରାଯିବ । ଗତ ରଥଯାତ୍ରା ଆଡପ ପହଣ୍ଡି ସମୟରେ ବଳଭଦ୍ରଙ୍କ ପହଣ୍ଡି ଅଘଟଣକୁ ଦୃଷ୍ଟିରେ ରଖି ଏଥର ତାହାକୁ ଶୃଙ୍ଖଳିତ କରାଯିବ । ଶ୍ରୀମନ୍ଦିର ଶବ୍ଦାବଳୀ ଓ ଲୋଗୋ ଗୁଡିକ ପେଣ୍ଟେଟ କରାଯିବ । ଯେପରି ଏହି ଶଦ୍ଦ ଗୁଡିକ ଅନ୍ଯ କେହି ବ୍ଯବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା ଗୁଡିକ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଅନୁଯାଇ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ନଗର ଉନ୍ନୟନ ବିଭାଗକୁ ଜଣାଇ ଦିଆଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ମହାପ୍ରଭୁଙ୍କ ଭୂସମ୍ପତିର ସୁରକ୍ଷା,ପରିଚଳନା ଓ ମାର୍ଗଦର୍ଶିକା ବ୍ଯବସ୍ଥା କରାଯିବ । ଶ୍ରୀମନ୍ଦିରର କର୍ପସ ପାଣ୍ଠି ବୃଦ୍ଧି କରାଯିବ । ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି,ଶ୍ରୀମନ୍ଦିର ଉନ୍ନତିକରଣ ଓ ସେବାୟତ କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ରଥ ଉପରେ ମୋବାଇଲ ଫୋନ ବ୍ୟବହାର କଲେ ଫୌଜଦାରୀ ମକଦ୍ଦମା କରାଯିବ । ଅଣ ସେବାୟତ ଯେପରି ରଥ ଉପରକୁ ନ ଚଢନ୍ତି ସେଥିପ୍ରତି କଡା ଦୃଷ୍ଟି ଦିଆଯିବ । ପହଣ୍ଡି ପାଇଁ ସ୍ବତନ୍ତ୍ର ଏସଓପି ବ୍ଯବସ୍ଥା କରାଯିବ । ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲା ,ପୂର୍ବତନ ପରିଚାଳନା କମିଟିର ସଦସ୍ଯ,ଶ୍ରୀମନ୍ଦିର ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ସମେତ ଆମନ୍ତ୍ରିତ ସଭ୍ଯମାନେ ଯୋଗ ଦେଇଥିଲେ ।
ରାଜ୍ୟ
ଗଜପତିଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ
- Hits: 235