ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ସହଯୋଗୀ ପ୍ରଶିକ୍ଷକଙ୍କ ନାମରେ ଠକେଇ ଅଭିଯୋଗ
ରାଉରକେଲା/ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିଲା ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ କ୍ଷମତା ସମ୍ପନ୍ନ କେନ୍ଦ୍ର ଚାଲିଥିଲାବେଳେ ପୁରୀ, ରାଉରକେଲା ଓ ଜୟପୁରରେ ରହିଛି ତୃଣମୂଳ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ କେନ୍ଦ୍ର। ଏହି ସବୁ କେନ୍ଦ୍ରର ଉଦ୍ଦେଶ୍ୟ ରହିଥିଲା ଜିମ୍ନାଷ୍ଟିକ୍ ଭଳି ଏକ ବିଦେଶୀ ଖେଳକୁ ନେଇ ଅଧିକରୁ ଅଧିକ ଲୋକପ୍ରିୟତା ସହିତ ନବପ୍ରତିଭାର ବିକାଶ। ଏହି କ୍ରମରେ ରାଉରକେଲା କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ରମେଶ ବେହେରାଙ୍କ ଉପରେ ସଙ୍ଗୀନ ଅଭିଯୋଗ ପରେ ଏ ଏମ ଏନ୍ ଏସ ର କାର୍ଯ୍ୟକ୍ରମ ମୁଖ୍ୟଙ୍କ ଦ୍ୱାରା ତଦନ୍ତ କରାଯାଇ ରିପୋର୍ଟ ଦିଆଗଲା। କିନ୍ତୁ ଏହି ରିପୋର୍ଟକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ହୋଇଛି କି ନାହିଁ , ସେ ନେଇ କୌଣସି ନିର୍ଦ୍ଦିଷ୍ଟ ବା ସ୍ପଷ୍ଟ ସୂଚନା ମିଳିନାହିଁ। ଏହାକୁ ନେଇ ଅଭିଯୋଗ ଆଣିଥିବା ତଥା କେନ୍ଦ୍ରର ଜଣେ ଅଭିଭାବକଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷେ କିଛି ମାସ ପୂର୍ବରୁ ଭୁବନେଶ୍ଵର ଏଚ ପି ସି ର ଜଣେ ମହିଳା ପ୍ରଶିକ୍ଷିକଙ୍କ ଉପରେ ହୋଇଥିବା ସଙ୍ଗୀନ ଅଭିଯୋଗ ପରେ ତାଙ୍କୁ ପୁରୀ କେନ୍ଦ୍ରକୁ ବଦଳି କରାଯାଇଥିଲା। ପୁରୀ କେନ୍ଦ୍ର କଥା କଥା ନ କହିଲେ ଭଲ, କାରଣ ସେଠାରେ ରେଡ୍ଡୀ ରାଜ | ଜଣେ ଆଇ ଏ ଏସ ଙ୍କ ଛତ୍ର ଛାୟାରେ ରହିବା ସହିତ କିଛି ବିଧାୟକଙ୍କ ନାମ ନେଇ ଜିମ୍ନାଷ୍ଟିକ୍ କେନ୍ଦ୍ରର ପରୋକ୍ଷ ମୁଖିଆ ହୋଇଛନ୍ତି। ଅନ୍ୟପକ୍ଷରେ ରାଉରକେଲା କେନ୍ଦ୍ରରେ ଥିବା ମୁଖ୍ୟ ପ୍ରଶିକ୍ଷକ ରମେଶଙ୍କ ବିରୋଧରେ ତଦନ୍ତ ଚାଲିଥିଲେ ମଧ୍ୟ ତାଙ୍କର ପ୍ରଭାବ ଏବେ ମଧ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି। ଏଥିପାଇଁ ତାଙ୍କ ନାମରେ ଲିଖିତ ଅଭିଯୋଗ ଦେଇଥିବା ଅଭିଭାବକ ସମ୍ପ୍ରତି ଭୟ ଓ ଦ୍ୱନ୍ଦ୍ୱରେ ରହିଛନ୍ତି, କାରଣ ତାଙ୍କ ସନ୍ତାନ ପ୍ରଶିକ୍ଷଣ ନେବା ପାଇଁ ରାଉରକେଲା କେନ୍ଦ୍ର ଯିବାକୁ ନେଇ ଭୟରେ ଅଛନ୍ତି। ସେହିଭଳି ପ୍ରଶିକ୍ଷକ ରମେଶ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ବେଙ୍ଗଲି କୋଚ୍ ପଶ୍ଚିମ ବଙ୍ଗରୁ ନାବାଳକ ପିଲାଙ୍କୁ ଆଣି ନକଲି ଆଧାର କାର୍ଡ ବନାଇ ରାଉରକେଲା କେନ୍ଦ୍ରରେ ପ୍ରଶିକ୍ଷଣ ଦେଇ ଓଡ଼ିଶାରୁ ଜାତୀୟସ୍ତରର ପ୍ରତିଯୋଗୀତାଭାବେ ପଠାଇବା, ରାଉରକେଲା ସହରର ଏକ ନିର୍ଦ୍ଧିଷ୍ଟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହିତ ସମ୍ପର୍କ ରଖି କିଛି ଟଙ୍କା ବିନିମୟରେ ଅଧିକରୁ ଅଧିକ ପିଲାଙ୍କୁ ଆଣି ପ୍ରଶିକ୍ଷଣ ଦେବା ଆଦି ଅଭିଯୋଗ ଆସିଥିବା ବେଳେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗୀୟ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଏ ନେଇ ନିରପେକ୍ଷ ତଦନ୍ତ କରାଗଲେ "ଦୁଧ କା ଦୁଧ, ପାନି କା ପାନି" ହୋଇଯିବ ବୋଲି ଆଲୋଚନା ଆରମ୍ଭ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘର ସମ୍ପାଦକ ଅଶୋକ ସାହୁ ସବୁ ଜାଣି ନୀରବ ରହିଛନ୍ତି କାହିଁକି। ଶ୍ରୀ ସାହୁ ନୀରବ ରହିବା ପଛରେ କେଉଁ ପ୍ରକାରର ଗୁମର ରହିଛି ? କାରଣ ଦୀର୍ଘ ୧୮ ବର୍ଷରୁ ଅଧିକ ଧରି ସଂଘରର ସମ୍ପାଦକ ରହିଥିବା ଶ୍ରୀ ସାହୁ ଓଡ଼ିଶାରେ ଜିମ୍ନାଷ୍ଟିକ୍ର ବିକାଶ ଓ ଉନ୍ନତି ଦିଗରେ କେଉଁ ପଦକ୍ଷେପ ନିଆଯାଇଛି ? କିଛି ବୁଦ୍ଧିଜୀବୀଙ୍କ ମତରେ "ସରକାର ବଦଳିଥିଲେ ସୁଦ୍ଧା ରାଜ୍ୟର କ୍ରୀଡ଼ା ପ୍ରଶାସନର ମୁଖ୍ୟ ଡୋରୀ ଏବେ ମଧ୍ୟ ଆଶୀର୍ବାଦ ଙ୍କ ପରୋକ୍ଷ ନିୟନ୍ତ୍ରଣରେ ରହିଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଇଂରାଜୀ ଭାଷାକୁ ଠିକ୍ଭାବେ ବୁଝି ପାରୁ ନଥିବା ଓ କହି ପାରୁ ନଥିବା ବ୍ୟକ୍ତି କିଭଳି ଏକ ଅନ୍ତର୍ଜାତୀୟ ସ୍ତରର ତଥା ବ୍ୟୟ ବହୁଳ ଖେଳର ପରିଚାଳନା କରୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଅଶୋକ ଙ୍କ ନାମରେ ଯେତେ ଖବର ପ୍ରସାର ଓ ପ୍ରଚାର ହେଲେ ସୁଦ୍ଧା ତାଙ୍କର କିଛି ଫରକ୍ ପଡ଼ିବ ନାହିଁ | କାରଣ ତାଙ୍କ ଉପରେ ଆଶୀର୍ବାଦଙ୍କ ଆଶୀର୍ବାଦ ରହିଛି। ସେହିଭଳି ଅଶୋକଙ୍କ ନାମରେ ରାଜ୍ୟ ଉଚ୍ଚ ନାୟାଳୟରେ ମାମଲା ଚାଲିଛି । କେଶ କରିଥିବା ବ୍ୟକ୍ତି ହେଉଛନ୍ତି ରାଜ୍ୟ ଜିମ୍ନାଷ୍ଟିକ୍ ସଂଘର ସଦସ୍ୟ। ଏ ଭଳି ସ୍ଥିତିରେ ଅଶୋକ ନିଜର ସମ୍ପାଦକ ପଦବୀରେ କିପରି ବସିଛନ୍ତି" ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ପୁରୀ ରେ ରେଡ୍ଡୀ ଙ୍କ ରାଜ, ରାଉରକେଲା ରେ ରମେଶ ଙ୍କ ସ୍କୁଲ ଲିଙ୍କ ଓ ଓଡ଼ିଶାରେ ଅଶୋକ ଙ୍କ ପାରିବା ପଣିଆ ଏସବୁ କୁ ଅନୁଧ୍ୟାନ କଲେ ଜିମ୍ନାଷ୍ଟିକ୍ କ୍ରୀଡ଼ା ଆଗାମୀ ଦିନରେ କିଭଳି ସଫଳ ହେବ ଓ ଖେଳାଳି ପାତର ଅନ୍ତର ରୁ କିପରି ନିବୃତ ହେବେ ଏହା ଏବେ ବଡ ପ୍ରଶ୍ନ । ଏସବୁ ସତ୍ତ୍ଵେ ନିରପେକ୍ଷ ଭାବେ କ୍ରୀଡ଼ା ପରିଚାଳନା କରିବା ସମ୍ପର୍କରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ମଧ୍ଯ ଦେଖିବାକୁ ବାକି ରହିଲା।