ବୁର୍ଲା/ସୁନ୍ଦରଗଡ଼,: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ସୁନ୍ଦରଗଡ଼ ସହରରେ ଲୋ ଟେନସନ୍ (ଏଲ୍.ଟି.) ବିଦ୍ୟୁତ୍ ନେଟୱାର୍କକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ଭିତ୍ତିଭୂମି ବିକାଶ ପଦକ୍ଷେପ ଗ୍ରହଣ କରିଅଛି । ୯.୪ କିଲୋମିଟରର ବିସ୍ତୃତ ଏଲ୍.ଟି ଲାଇନକୁ ନେଇ ଗଠିତ ଏହି ପ୍ରକଳ୍ପଟି ଟିପିଡବ୍ଲ୍ୟୁଓଡିଏଲର ନିଜସ୍ୱ ପୁଞ୍ଜି ବ୍ୟୟ ଯୋଜନା ଅଧୀନରେ ୦.୬ କୋଟି ବିନିଯୋଗରେ କାର୍ଯ୍ୟକାରୀ କରାଯାଉଛି ।
ଏହି ପଦକ୍ଷେପ ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି । ଯାହା ସହରାଞ୍ଚଳ ଜନସାଧାରଣଙ୍କୁ ସ୍ଥିର ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ । ଏହି ପ୍ରକଳ୍ପରେ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସମସ୍ୟାର ସମାଧାନ ପାଇଁ ବିଦ୍ୟମାନ ଏଲ୍.ଟି. ନେଟୱାର୍କକୁ ସୁଦୃଢ଼ କରିବା ଏବଂ ନୂତନ ଲାଇନଗୁଡ଼ିକର ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଅଧିନରେ ଏବେ ସୁଦ୍ଧା ୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ଏଲ୍.ଟି ଲାଇନର ସୁଦୃଢୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ ୧.୪ କିଲୋମିଟର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି, ଯାହା କି ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି ।
ଉଲ୍ଲେଖଥାଉ କି, ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ଦ୍ୱାରା ସୁନ୍ଦରଗଡ଼ ସହରର ୫ ହଜାର ଘରୋଇ ତଥା ବ୍ୟବସାୟିକ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ଏହି ପ୍ରକଳ୍ପର ସମାପନ ଦ୍ୱାରା ଗୁଣାତ୍ମକ ତଥା ନିର୍ଭରଯୋଗ୍ୟତା ବିଦ୍ୟୁତ୍ ସେବା, ସୁରକ୍ଷା ଏବଂ ବୈଷୟିକ କ୍ଷତିରେ ଯଥେଷ୍ଟ ହ୍ରାସ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ତାର ଏବଂ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ିକୁ ରୋକିବା ।
ଏହି ପ୍ରକଳ୍ପ ସମ୍ୱନ୍ଧରେ ମତ ପ୍ରକାଶ କରି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, " ଏହି ପଦକ୍ଷେପ ଆମର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଗୁଣବତ୍ତା ତଥା ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାର ଏକ ଅଂଶ । ସୁନ୍ଦରଗଡ଼ ଏଲ୍.ଟି. ନେଟୱାର୍କର ସୁଦୃଢ଼ୀକରଣ ବର୍ତ୍ତମାନ ଏବଂ ଭବିଷ୍ୟତର ଚାହିଦା ପୂରଣ କରୁଥିବା ଏକ ସ୍ଥିର ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । "