ବୁର୍ଲା/ବରଗଡ଼, ୭ ମଇ, ୨୦୨୫: ଗତ ଶନିବାର (ତା. ୦୩.୦୫.୨୦୨୫ରିଖ) ସନ୍ଧ୍ୟା ସମୟରେ ବରଗଡ଼ ଜିଲ୍ଲାରେ କାଳବୈଶାଖୀ ଝଡ଼ ତାଣ୍ଡବ ରଚିଥିଲା । ଯାହା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
ସୂଚନାଯୋଗ୍ୟ ଯେ, ଦ୍ରୁତଗତିରେ ପବନ ପ୍ରବାହ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୦୦ ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ିଥିଲା । ଯାହା ଫଳରେ ୬୭ଟି ବିଦ୍ୟୁତ୍ ଖୁଣ୍ଟ, ୫୦ଟି କଣ୍ଡକ୍ଟର କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ପ୍ରାୟ ୨୫ ସର୍କିଟ୍ କିଲୋମିଟର ପର୍ଯ୍ୟନ୍ତ ୧୧ କେ.ଭି. ଫିଡର ଲାଇନ ଏବଂ ଏକ ୧୦୦ କେ.ଭି.ଏ. ବିଦ୍ୟୁତ୍ ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା । ଯାହା ଫଳରେ ବରଗଡ଼ ସଦର ବ୍ଲକର ଲାଉନସରା; ବରପାଲି ବ୍ଲକ ଅନ୍ତର୍ଗତ ପିପିଲିପାଲି, ପାଟକୁଲୁଣ୍ଡା, ବୁରୋମୁଣ୍ଡା ଓ କାଇଁସିର; ଏବଂ ଭେଡେନ୍ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି, ସାଲେପାଲି, ଆରେଗୁଡି ଏବଂ ଅନିଲାପାଲି ଅଞ୍ଚଳର ପ୍ରାୟ ୫,୦୦୦ ବିଦ୍ୟୁତ୍ ଗ୍ରାହକ ପ୍ରଭାବିତ ହୋଇଥିଲେ ।
ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ତୁରନ୍ତ ଜରୁରୀକାଳୀନ ରକ୍ଷଣାବେକ୍ଷଣ ଦଳକୁ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପାଖାପାଖି ୬୦ ଜଣ କ୍ଷେତ୍ର ରକ୍ଷଣାବେକ୍ଷଣ କର୍ମଚାରୀମାନେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ତଥା ଅପହଞ୍ଚ ଅଞ୍ଚଳରେ ରାତିଦିନ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ୍ ସେବା ପୁନଃରୁଦ୍ଧାର କରିପାରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କର ତୁରନ୍ତ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଥିଲା ।
ଉଲ୍ଲେଖଥାଉ କି, ଏହି କାଳବୈଶାଖୀ ଝଡ଼ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବରପାଲି ସେକ୍ସନ-୨ ଅନ୍ତର୍ଗତ ସାଲେପାଲି ଏବଂ ପ୍ରଧାନପାଲି ଗ୍ରାମରେ ଏହି ପୁନରୁଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ତେବେ କମ୍ପାନୀ ପକ୍ଷରୁ ଖୁବଶୀଘ୍ର ଏହି ଅଞ୍ଚଳ ଗୁଡ଼ିକରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ପୁନସ୍ଥାପନ କରାଯିବାକୁ ଆଶା କରାଯାଉଅଛି ।
ଏହିପରି ପ୍ରତିକୂଳ ପରିସ୍ଥିତିରେ ବରଗଡ଼ ବାସିନ୍ଦାଙ୍କୁ ସେମାନଙ୍କର ସହଯୋଗ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଅଛି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବିଦ୍ୟୁତ୍ ଯୋଗାଣର ସୁରକ୍ଷିତ ଏବଂ ଶୀଘ୍ର ପୁନଃସ୍ଥାପନ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାରେ ଆମେ ଅଟଳ ରହିଅଛୁ ।