ଓ.ଟି,ଆଇ.ସି.ୟୁ, ଏସ୍.ଏନ୍.ସି.ୟୁ ଏବଂ ଉଚ୍ଚ ବିଦ୍ୟୁତ ଶକ୍ତି ସମ୍ପନ୍ନ ଯନ୍ତ୍ରପାତିକୁ ଅଗ୍ରାଧିକାର ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୬/୫/୨୫ ରିଖ: ସରକାରୀ ହସ୍ପିଟାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମୟୀ ଅଶ୍ୱତୀ ଏସ୍. ଲୋକସଭା ଭବନ ସଭାଗୃହ ଠାରେ ସ୍ଥିତିର ସମୀକ୍ଷା କରି ସମୟାନୁବନ୍ଧିତ ଭାବେ ସରକାରୀ ହସ୍ପିଟାଲମାନଙ୍କରେ ଅଗ୍ନି-ନିରାପତ୍ତା ନିଶ୍ଚିତ କରାଇବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମେଡିକାଲ କଲେଜ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଶେଷତଃ ହସ୍ପିଟାଲମାନଙ୍କରେ ଥିବା ଅସ୍ତ୍ରୋପଚାର କକ୍ଷ, ଆଇ.ସି.ୟୁ, ନବଜାତମାନଙ୍କ ପାଇଁ ସ୍ଵତନ୍ତ୍ର ଯତ୍ନ ୟୁନିଟ, ସିଟିସ୍କାନ ଓ ଏମ୍.ଆର.ଆଇ ଯନ୍ତ୍ର ଭଳି ଉଚ୍ଚ ବିଦ୍ୟୁତ୍ ଶକ୍ତି ସମ୍ପନ୍ନ ଉପକରଣ ଲାଗିଥିବା ସ୍ଥାନମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ଅଗ୍ନି ନିରାପତ୍ତା ଦୃଢ଼ୀଭୂତ କରିବା ନିମନ୍ତେ ଶ୍ରୀମୟୀ ଅଶ୍ଵତୀ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲର ବିଦ୍ୟୁତ ଓୟାରିଂ ସହ ଜେନେରେଟର ସଂଯୋଗୀକରଣ ସ୍ଥାନରେ ବୈଦ୍ୟୁତିକ ଓ ଅଗ୍ନି-ନିରାପତ୍ତାକୁ ସଠିକ୍ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରୁ ମେଡିକାଲ କଲେଜ ହସ୍ପିଟାଲ ପର୍ଯ୍ୟନ୍ତ ଡାକ୍ତରଖାନାମାନଙ୍କ ଅଗ୍ନି-ନିରାପତ୍ତା କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନର ସଠିକ୍ ଚିହ୍ନଟ ଓ ସେଗୁଡ଼ିକର ସଂଶୋଧନ ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ତରରେ ମିଳିତ କମିଟି ମାନ ଗଠନ କରାଯାଇଛି ।
ପ୍ରତି ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ବିଦ୍ୟୁତ୍ ନିରୀକ୍ଷକ, ରାସ୍ତା ଓ କୋଠାବାଡ଼ି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ମିଳିତ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରୀୟ ଯାଞ୍ଚ ସାରି ଆବଶ୍ୟକୀୟ କାର୍ଯ୍ୟ-ଯୋଜନା ସହ ଖର୍ଚ୍ଚ ଆକଳନ ପଠେଇବା ପାଇଁ ଶାସନ ସଚିବ ଅଶ୍ଵତୀ ଏସ. ମିଳିତ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଦ୍ୟୁତିକ ନିରାପତ୍ତା ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ମାନକ ଅନୁସାରେ ସମସ୍ତ ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏବେଠାରୁ ହସ୍ପିଟାଲ ବିଲ୍ଡିଂ-ପ୍ଲାନ୍ଗୁଡିକ ପ୍ରଥମରୁ ଅଗ୍ନି ନିରାପତ୍ତା ଅନୁକୂଳ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ବୈଠକରେ ଆଲୋଚନାରୁ ଜଣାପଡିଥିଲା ଯେ ସରକାରୀ ଡାକ୍ତରଖାନାମାନଙ୍କରେ ଅଗ୍ନି-ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ନିମନ୍ତେ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି । ସବୁ ଜିଲ୍ଲାମାନଙ୍କୁ ସେମାନଙ୍କର କାର୍ଯ୍ୟ- ଯୋଜନା ଆକଳନ ଅନୁସାରେ ପାଣ୍ଠି ଯୋଗାଇ ଦିଆଯିବ । ଅଗ୍ନି-ନିରାପତ୍ତା ପାଇଁ ସଂଶୋଧନାତ୍ମକ ବ୍ୟବସ୍ଥାପନ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାକୁ ଶାସନ ସଚିବ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ମକ-ଡ୍ରିଲ ଚାଲୁ ରଖିବା, ଅଗ୍ନି ନିରାପତ୍ତା ସହ ସମ୍ପର୍କିତ ସମସ୍ତ ଅଂଶୀଦାରମାନଙ୍କ ସହ ନିୟମିତ ସମୀକ୍ଷା ବୈଠକ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଅଗ୍ନି-ନିର୍ବାପକ ଉପକରଣ ଗୁଡିକର ଉପଯୁକ୍ତ ରକ୍ଷଣା-ବେକ୍ଷଣ ଆଦି କାର୍ଯ୍ୟ ନିୟମିତ ଭାବେ ଚାଲୁ ରଖିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ କାର୍ଯ୍ୟକୁ ତଦାରଖ ଓ ପରିଚାଳନା କରିବା ପାଇଁ ରାଜ୍ୟ ସ୍ତରୀୟ ମିଳିତ କମିଟିଙ୍କୁ କୁହାଯାଇଥିଲା ।
ଜାତୀୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା. ଡି, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପୋମା ଟୁଡୁ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଅଗ୍ନିଶମ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ ଏବଂ ଜଳ ନିଗମର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ତଥା ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଆଲୋଚନା ନିମନ୍ତେ ବିଷୟବସ୍ତୁ ସହ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ ।