ଓଡ଼ଗାଁ,୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିରାଜୀତ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ଚନ୍ଦନଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି । ଅପରାହ୍ନରେ ଶ୍ରୀରାମ ସାଗରରେ ପ୍ରଭୁଙ୍କ ବିଜେପ୍ରତିମା ଚାପ ଖେଳିଛନ୍ତି। ୨୧ଦିନ ଧରି ଏହା ଅନୁଷ୍ଠିତ ହେବ । ଆଜି ସକାଳର ଦୈନନ୍ଦିନ ନୀତି ପରେ ପହୁଡ଼ ପଡ଼ିଥିଲା।ଅପରାହ୍ନରେ ଶ୍ରୀଜିଉ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ସୀତାଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇବା ପରେ ଧୂପଦୀପ ଓ ଆଳତୀ ଆଦି ସମସ୍ତ ନୀତିକାନ୍ତିି ସରିବା ପରେ ଜଗମୋହନଙ୍କୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା । ପରେ ଜିଉ ମାନେ ମନ୍ଦିରରୁ ବାହାରି ସୁଶୋଭିତ ବିମାନରେ ଘଂଟ, କାହାଳୀ, ଛତି, ତ୍ରାଶ ଆଦି ପଟୁଆରରେ ଆସି ଶ୍ରୀରାମ ସାଗରରେ ଥିବା ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ । ଚନ୍ଦନ ମଣ୍ଡପ ସମସ୍ତ ଶୋଧନ ନୀତି ପରେ ଶ୍ରୀଜିଉମାନେ ନୈାକାବିହାର କରିଥିଲେ । ପରେ ଭୋଗ ଓ ଆଳତୀ ନୀତି ସାରି ଚନ୍ଦନ କୁଣ୍ଡରେ ସୁବାସିତ ଜଳରେ ଅବସ୍ଥାନ କରିଥିଲେ । ରାତିରେ ଚନ୍ଦନ କୁଣ୍ଡରୁ ଶ୍ରୀଜିଉମାନଙ୍କୁ ଚନ୍ଦନ ବେଦୀକୁ ଅଣାଯାଇ ପୁନଶ୍ଚ ଭୋଗ ନୈବେଦ୍ୟ ଅର୍ପଣ ପରେ ଡଙ୍ଗାରେ ଜଳକ୍ରୀଡା କରିଥିଲେ । ଜଳକ୍ରିଡା ସାରିବା ପରେ ନଗର ଭ୍ରମଣ କରି ଚାଚେରୀ ଭୋଗ ଲାଗିହୋଇ ରାତି ୧୦ ସମୟରେ ଶ୍ରୀଜିଉ ମନ୍ଦିର ପ୍ରବେଶ କରିବା ପରେ ବଡସିଙ୍ଗାର ନୀତି ଅନୁଷ୍ଠିତ ହୋଇ ପହଡ ହୋଇଥିଲା । ପରୀଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ମନ୍ଦିର ପାଳିଆ ପୂଜାକ ନାରାୟଣ ମହାପାତ୍ର, ଚନ୍ଦନ ଯାତ୍ରା ପାଳିଆ ପୂଜକ ପ୍ରଫୁଲ୍ଲ ମହାପାତ୍ର ଏବଂ ମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ମିଳିତ ସହଯୋଗରେ ଶ୍ରୀଜିଉଙ୍କ ଆଜିର ଚନ୍ଦନ ଯାତ୍ରା ନୀତିକାର୍ଯ୍ୟ ସମ୍ପାଦନ ହୋଇଥିଲା । ରଘୁନାଥ ଚିନ୍ତନଚକ୍ର ଦ୍ବାରା ବହୁବର୍ଷ ଧରି ଚାଲି ଆସିଥିବା ୪୭ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆଜି ଠାରୁ ମନ୍ଦିର ପରିସର ଭଞ୍ଜମଣ୍ଡପରେ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ବିଜ୍ଞ ବକ୍ତାମାନଙ୍କ ଠାରୁ ରାମକଥା ଶ୍ରବଣ ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମ ଆରମ୍ଭ ହୋଇଛି । ସଭାପତି ଦିଲ୍ଲୀପ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏହା ଆଜିଠାରୁ ୯ ଦିନ ଧରି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।
ରାଜ୍ୟ
ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ
- Hits: 256