ଭୁବନେଶ୍ୱର,୧୭ା୪: ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାରକୀ ବକ୍ତୃତାମାଳାମାନ ଅନୁଷ୍ଠିତ ହେଉଛି ।
ଏଯାବତ୍ ବିଶ୍ୱବିଦ୍ୟାଳୟ ପରିସରରେ ମା’ରମାଦେବୀଙ୍କ ଉପରେ ୪ଟି ବକ୍ତୃତା ଅନୁଷ୍ଠିତ ହୋଇସାରିଥିବା ବେଳେ ପଞ୍ଚମ ସ୍ମାରକୀ ବକ୍ତୃତା ଆସନ୍ତା ୧୯ ତାରିଖ ଶନିବାର ସକାଳ ୧୧.୩୦ରେ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ହେଉଛି । ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନର ହୀରକ ଜୟନ୍ତୀ ପାଳିତ ହେଉଥିବାରୁ ଏହି ବକ୍ତୃତାମାଳା ବିଶେଷ ଗୁରୁତ୍ୱ ବହନ କରୁଛି ।
ଏଠାରେ ଉଲ୍ଲେଖନୀୟ ଯେ ମା’ରମାଦେବୀଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କ ଜୀବିତାବସ୍ଥାରେ ଭୁବନେଶ୍ୱରର ପ୍ରଥମ ସରକାରୀ ମହିଳା କଲେଜ୍କୁ ତାଙ୍କ ନାମରେ ନାମିତ କରାଯାଇଥିଲା । ଗାନ୍ଧୀ ଜନ୍ମ ଶତବାର୍ଷିକୀ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଶିକ୍ଷାମନ୍ତ୍ରୀ ବନମାଳି ପଟ୍ଟନାୟକ ବହୁ କଷ୍ଟରେ ଏଥିଲାଗି ମା’ରମାଦେବୀଙ୍କ ସ୍ୱୀକୃତି ଆଣିଥିଲେ ।
ରମାଦେବୀଙ୍କ ଜୀବନ କାହାଣୀ ସହିତ ସ୍ୱାଧୀନତା ସଂଗ୍ରାମ, ନାରୀ ଜାଗରଣ, ସାମାଜିକ ପରିବର୍ତ୍ତନ, ଭୂଦାନ ଆନେ୍ଦାଳନ, ସଂପୂର୍ଣ୍ଣକ୍ରାନ୍ତି ଆନେ୍ଦାଳନ ଆଦିରେ ତାଙ୍କର ଅଗ୍ରଣୀ ଭୂମିକା ସଂକ୍ରାନ୍ତରେ ଏହି ବକ୍ତୃତାମାଳାରେ ବିଶିଷ୍ଟ ବକ୍ତାମାନେ ଆଲୋକପାତ କରିଥାନ୍ତି । ଏହାଛଡ଼ା ସାହିତ୍ୟ, ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରକୁ ତାଙ୍କର ଅବଦାନ ଏବଂ ତାଙ୍କ ଉପରେ ସୃଷ୍ଟି ସାହିତ୍ୟ ସଂକ୍ରାନ୍ତରେ ନୂଆ ପିଢ଼ିକୁ ଏହି ବକ୍ତୃତାମାଳା ମାଧ୍ୟମରେ ଅବହିତ କରାଯାଇଥାଏ ।
ରମାଦେବୀଙ୍କ ଉପରେ ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଆଦିଙ୍କ ପ୍ରଭାବ ଏବଂ ତାଙ୍କ ରଚନାତ୍ମକ କାର୍ଯ୍ୟରେ ପ୍ରଭାବିତ ହୋଇ ସୃଷ୍ଟି ହୋଇଥିବା ସମର୍ପିତ ସମାଜସେବୀ ଓ ସଂଗ୍ରାମୀମାନଙ୍କ ସଂକ୍ରାନ୍ତରେ ବି ଏହି ବକ୍ତୃତାମାଳାରେ ଆଲୋଚନା କରାଯାଇଥାଏ । ବିଶ୍ୱବିଦ୍ୟାଳୟର ରମାଦେବୀ ଚେୟାରର ପ୍ରଫେସର ଡ. ସୁଚେତା ପ୍ରିୟବାଦିନୀଙ୍କ ସଂଯୋଜନାରେ ଏହି ବକ୍ତୃତାମାଳା ଅନୁଷ୍ଠିତ ହେଉଛି । ବିଶ୍ୱବିଦ୍ୟାଳୟର କୁଳପତି, ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଆଗ୍ରହର ସହ ଅଂଶଗ୍ରହଣ କରୁଛନ୍ତି । ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ଭଞ୍ଜଙ୍କ ସଂପାଦନାରେ ‘ବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା- ମା’ରମାଦେବୀ’ ଗ୍ରନ୍ଥ ପ୍ରକାଶ ପାଇଛି । ଏହାଛଡ଼ା ମା’ରମାଦେବୀ ଓ ତାଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ ଆଧାର କରି ଏହି ବିଶ୍ୱବିଦ୍ୟାଳୟରେ ଲଗାତାର ଭାବେ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହେଉଛି ।
ରାଜ୍ୟ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମା’ରମାଦେବୀ ସ୍ମାରକୀ ବକ୍ତୃତା
- Hits: 16