ହେଡଲାଇନସ୍:

ରାଜ୍ୟରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆଜି ନୂତନ ସୂର୍ଯ୍ୟୋଦୟ ହୋଇଛି : ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪। ଆଜି ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪କୁ ଓଡ଼ିଶାରେ ଲାଗୁ କରାଯାଇଛି।
ବିଗତ ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତି ତମାମ ଆଲୋଚନା ହେବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଧେୟକକୁ ବିଧାନସଭାରେ ପାରିତ କରାଯାଇଥିଲା। ଆଜି ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ଆଜିଠାରୁ ସାରା ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଲାଗୁହୋଇଛି।

ଆଜି ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
"ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ -୨୦୨୪କୁ ବିଧାନସଭାରେ ପାରିତ କରାଯାଇଥିଲା । ଆଜି ଏହି ବିଧେୟକକୁ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କ ସ୍ୱୀକୃତି ମିଳିବା ପରେ ସାରା ଓଡ଼ିଶାରେ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହୋଇଛି। ଆଜି ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ଏହି ଅଧିନିୟମ ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସୁନିଶ୍ଚିତ ହେବା ସହିତ ଅଧ୍ୟାପକ ନିଯୁକ୍ତି ପ୍ରକିୟାକୁ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ସରଳୀକରଣ ଓ ତ୍ୱରାନ୍ୱିତ କରାଯାଇପାରିବ। ଏଥିସହିତ ବିଶ୍ୱବିଦ୍ୟାଳୟରେ ସିନେଟ୍‌ ର ପୁନଃ-ଅନ୍ତର୍ଭୁକ୍ତିକରଣ, ଅଧ୍ୟାପକ ଓ କୁଳପତି ଚୟନରେ ସରକାରୀ ହସ୍ତକ୍ଷେପକୁ ହ୍ରାସ କରାଯାଇପାରିଛି। ରାଜ୍ୟରେ ମୋଟ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଦୂରଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିବା, ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅର୍ଥ କମିଟିର ଗଠନ ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ, ଶିକ୍ଷାନୁଷ୍ଠାନମାନଙ୍କରେ ବିଶ୍ୱସ୍ତରୀୟ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଜ୍ଞାନ ଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁହେବା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସମ୍ବନ୍ଧରେ ନିମ୍ନରେ ସବିଶେଷ ବିବରଣୀ ପ୍ରଦାନ କରାଗଲା ।

ନିଯୁକ୍ତି

(କ) ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନ୍ୟାୟିକ ମାମଲା ଯୋଗୁଁ ଶିକ୍ଷକ ନିଯୁକ୍ତି ପ୍ରକିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡ଼ାଇବା ତଥା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସୁନିଶ୍ଚିତ କରାଯିବ।

(ଖ) ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାନଯାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ହିଁ କରାଯିବ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସମୟ ସାପେକ୍ଷ ନ ହୋଇ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଏହାକୁ ଶେଷ କରାଯାଇପାରିବ। ଏଥିସହିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ, ଉପ-ପାଠ୍ୟକ୍ରମର ବିଷୟବସ୍ତୁ ଏବଂ ବିଷୟ ଭିତ୍ତିକ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକମାନଙ୍କର ନିଯୁକ୍ତିକୁ ସୁନିଶ୍ଚିତ କରାଯାଇପାରିବ।

କୁଳପତି ଚୟନ

(କ) ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ତିନିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ହେବ। କମିଟିରେ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବା ଶିକ୍ଷାବିତ୍‌ ହିଁ ସଦସ୍ୟ ଭାବେ ରହିପାରିବେ। ଏହାଦ୍ୱାରା କୁଳପତି ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଆଧାରିତ ହୋଇପାରିବ।

(ଖ) ଏଥିସହିତ କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ଆଧାରରେ ଜଣେ ପ୍ରବୀଣ ଶୈକ୍ଷିକ ନେତୃତ୍ୱଙ୍କୁ କୁଳପତି ଭାବେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

ବିଶ୍ୱବିଦ୍ୟାଳୟରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତିକରଣ

(କ) ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇଛି।

(ଖ) ସିନେଟ୍ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା ଯାହାକି ସମସ୍ତ ବର୍ଗ ଯଥା ଶିକ୍ଷାବିତ୍, ଅଧ୍ୟାପକ, ଛାତ୍ରଛାତ୍ରୀ, ପ୍ରଶାସନିକ କର୍ମଚାରୀ ଆଦିଙ୍କୁ ନେଇ ଗଠିତ ଏବଂ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ପାଇଁ ଏହା ମତାମତ ପ୍ରଦାନ କରିଥାଏ।

(ଗ) ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ -୨୦୨୪ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥାକୁ ପୁନଃ ଅନ୍ତର୍ଭୁକ୍ତ କରାଯିବା ସହ ପ୍ରତି ବର୍ଷ ଦୁଇଥର ସିନେଟ୍ ର ବୈଠକ ଅନୁଷ୍ଠିତ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ ସଦସ୍ୟ ରହିଥିବାର ବ୍ୟବସ୍ଥା ଥିବାବେଳେ ଏଥରେ ଅତିକମ୍‌ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍‌ ଏବଂ ଛାତ୍ରସମାଜରୁ ରହିବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।

ସୁଦୃଢ଼ ଭିତ୍ତିଭୂମି ଓ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର ସୁନିଶ୍ଚିତତା :

(କ) ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତହେବା ଦ୍ୱାରା ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଅନୁପାତକୁ (Teacher-Student Ratio) ସୁନିଶ୍ଚିତ କରାଯାଇପାରିବ।

(ଖ) ଗୁଣାତ୍ମକ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ ମୋଟ୍ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ "ଦୂରଶିକ୍ଷା" ବ୍ୟବସ୍ଥାକୁ ପ୍ରଣୟନ କରାଯିବ।

(ଘ) ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କିମିଟିର ଗଠନ କରାଯିବ।

(ଙ) ଭିତ୍ତିଭୂମି ପ୍ରକଳ୍ପ ବିକାଶର ସମୀକ୍ଷା ଓ ଯାଞ୍ଚ ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ।

(ଚ) ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ପରିମାଣର ଅର୍ଥରାଶି ଭାରତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଅଡିଟ୍ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯିବ।

ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବିଶ୍ୱବିଦ୍ୟାଳୟର ସ୍ବାୟତତ୍ତ୍ଵା ଓ ଶୈକ୍ଷିକ ପରିବେଶର ଅଭିବୃଦ୍ଧିରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ନିଶ୍ଚିତ ରୂପେ ସହାୟକ ହେବ ।

 

ତଥ୍ୟ : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ 

0
0
0
s2sdefault