ହେଡଲାଇନସ୍:

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ମହିଳା ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ଏସ୍ ଗୋପାଳନ, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଟି.ଆଓ, ଅତିରିକ୍ତ ଶାସନ ସଚିବ ଶ୍ରୀ ମନୀଷ ଅଗ୍ରଓ୍ୱାଲ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଜନଗଣନା ନିର୍ଦ୍ଦେଶକ ଶ୍ରୀ ୟୁ.ଏନ୍ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ବେଳେ ୟୁନିସେଫ ତରଫରୁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ବିଶେଷଜ୍ଞ ଡଃ. ସୁଗତ ରୟ, ସାମାଜିକ ନୀତି ବିଶେଷଜ୍ଞ ଡଃ. ବାଳ ପାରିତୋଷ ଦାଶ , ସାମାଜିକ ନୀତି ପରାମର୍ଶଦାତା ଅଜୟ କୁମାର ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ ।
ଭାରତ-ୟୁନିସେଫ୍ ସହଯୋଗ କାର୍ଯ୍ୟକ୍ରମ ୨୦୨୩-୨୭ ହେଉଛି ୟୁନିସେଫର ଏକ ବହୁବର୍ଷିଆ କାର୍ଯ୍ୟଯୋଜନା, ଯାହାର ଉଦ୍ଦେଶ୍ୟ ହେଉଛି "୨୦୨୭ ସୁଦ୍ଧା ଶିଶୁ, କିଶୋର ଏବଂ ମହିଳା, ବିଶେଷକରି ସବୁଠାରୁ ଅସୁରକ୍ଷିତ, ଲିଙ୍ଗ-ଉତ୍ତରଦାୟୀ, ଜଳବାୟୁ ଅନୁକୂଳ ଏବଂ ବିଭିନ୍ନ ଆଘାତ ପ୍ରଭାବିତ ଉତ୍ତରଦାୟୀ ସାମାଜିକ ଏବଂ ଅର୍ଥନୈତିକ ନୀତି ଏବଂ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟକ୍ରମ କରି ସଫଳତା ଆଣିବା” । ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା ( ଏସପିଏସପି ) କାର୍ଯ୍ୟକ୍ରମଗୁଡ଼ିକ ସଂପାଦନ ପାଇଁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ନୋଡାଲ ବିଭାଗ ଭାବେ ସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନମାନଙ୍କ ସହଭାଗିଦାରୀରେ କାର୍ଯ୍ୟ କରିବ ।
ବୈଠକର ପ୍ରାରମ୍ଭରେ ୨୦୨୩-୨୪ କାର୍ଯ୍ୟଯୋଜନା ସଂପର୍କରେ ସମୀକ୍ଷା କରାଯିବା ସହ ୨୦୨୫-୨୭ ପାଇଁ ୟୁନିସେଫ୍ ତରଫରୁ କରାଯାଇଥିବା ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇ ସେଥିରେ ଆବଶ୍ୟକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସହରାଂଚଳରେ ମହିଳା, ଭିନ୍ନକ୍ଷମମାନଙ୍କର ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହାକୁ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଚଳିତ ବର୍ଷ କାର୍ଯ୍ୟକ୍ରମ ମଧ୍ୟରେ ଶିଶୁ ଦାରିଦ୍ର୍ୟ ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କ୍ଷେତ୍ର ବିଶ୍ଳେଷଣ ପାଇଁ ରାଜ୍ୟସ୍ତରୀୟ ବୈଷୟିକ ଅନୁଷ୍ଠାନ ଏନ୍ଆଇଟି, ରାଉରକେଲା ସହ ସହଯୋଗ କରାଯିବ । ଅର୍ଥ ବିଭାଗ ଶିଶୁ, ପୁଷ୍ଟିସାଧନ, ଏସଡିଜି ଏବଂ ଲିଙ୍ଗଭିତ୍ତିକ ବଜେଟ୍ ବିବରଣୀର ବାର୍ଷିକ ପ୍ରକାଶନକୁ ସୁନିଶ୍ଚିତ କରାଯିବ ।
ଅର୍ଥ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଭିନ୍ନକ୍ଷମମାନଙ୍କୁ ନଗଦ ଅର୍ଥ ହସ୍ତାନ୍ତର ସାର୍ବଜନୀନ କଭରେଜ୍ ଦିଗରେ ଲକ୍ଷ୍ୟ ରଖି ଭିନ୍ନକ୍ଷମ ଆର୍ଥିକ ସହାୟତା ଉପରେ ଏକ ଆଭିମୁଖ୍ୟ ପତ୍ର ପ୍ରସ୍ତୁତ କରିବା ପାଇଁ ଯୁନିସେଫ କାର୍ଯ୍ୟ କରିବ । ଜଳବାୟୁ ପରିବର୍ତ୍ତନ ଏବଂ ଭିନ୍ନକ୍ଷମତା ସମେତ ଏସଡିଜି ଭିତ୍ତିକ ଫଳାଫଳ ବଜେଟ୍ ପାଇଁ ନୀତିଗତ ସଂକ୍ଷିପ୍ତ ବିକାଶ ଏବଂ ପରାମର୍ଶ ଉପରେ କାର୍ଯ୍ୟ କରିବ । ସାମାଜିକ ସୁରକ୍ଷା ଯୋଜନାରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ, ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଜାରି ରହିବ ।
କିଶୋରୀମାନଙ୍କୁ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପ୍ରାସଙ୍ଗିକ ସାମାଜିକ ସୁରକ୍ଷା ପାଇଁ ସହାୟତା ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଦି ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତାର ବିଶ୍ଳେଷଣ କରି ମହିଳାସଶକ୍ତୀକରଣ ଏବଂ ଶିଶୁ ଅଧିକାରକୁ ପ୍ରୋତ୍ସାହିତ କରିବାରେ ୟୁନିସେଫର ପ୍ରୟାସ ରହିବ । ଯୋଜନା ଓ ସଂଯୋଜନ ବିଭାଗ ସହଯୋଗରେ ଗୋଷ୍ଠୀଭିତ୍ତିକ ଆକଳନ କରଯାଇ ଭିନ୍ନକ୍ଷମ ବ୍ୟକ୍ତି, ଭିନ୍ନକ୍ଷମ ଶିଶୁଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡିକର ଉପଲବ୍ଧତା ଯାଞ୍ଚ କରିବା ଏବଂ ପ୍ରତିବନ୍ଧକ ଏବଂ ସକ୍ଷମକାରୀମାନଙ୍କୁ ଚିହ୍ନଟ କରାଯିବ ।
ୟୁନିସେଫ୍ ଓଡ଼ିଶା ଗ୍ରାମାଞ୍ଚଳରେ ସ୍ଥାନୀୟ ବିକେନ୍ଦ୍ରୀକରଣ ଉପରେ କାର୍ଯ୍ୟ କରୁଛି, ଯାହାକୁ ଆହୁରି ବଢ଼ାଇବାର ଆବଶ୍ୟକତା ରହିଛି । ଏସଆଇଆରଡି ଏବଂ ପଂଚାୟତିରାଜ ବିଭାଗ ସହ ଭାଗିଦାରୀରେ, ଗ୍ରାମ ପଂଚାୟତମାନଙ୍କୁ, ଅଣବନ୍ଧିତ ପାଣ୍ଠି ବ୍ୟବହାର କରି ଏସଡିଜି ହାସଲରେ ଯୋଗଦାନ କରୁଥିବା ପଦକ୍ଷେପଗୁଡିକର ଯୋଜନା ଏବଂ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯିବ । ଶିଶୁ-ଅନୁକୂଳ ଗ୍ରାମ ପଂଚାୟତମାନଙ୍କରେ ମହିଳା ଓ ଆଦିବାସୀ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦକ୍ଷତା ବିକାଶ ପାଇଁ ଏସଆଇଆରଡି ସହିତ ଭାଗିଦାରୀ ଜାରି ରହିବ । ୨୦୨୪-୨୫ ପାଇଁ ୯୧୨ ଗ୍ରାମ ପଂଚାୟତରେ ଏସଡିଜି ସୂଚକାଙ୍କ ଆଧାରିତ ଶିଶୁ ବଜେଟ୍ ଏବଂ କାର୍ଯ୍ୟକଳାପ ବିଶ୍ଳେଷଣ ପାଇଁ ଶିଶୁ-ଅନୁକୂଳ ଗ୍ରାମ ପଂଚାୟତ ବିକାଶ ଯୋଜନା(ଜିପିଡିପି) ପ୍ରସ୍ତୁତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ, ଏହାକୁ ସମସ୍ତ ୬,୭୯୪ ଗ୍ରାମ ପଂଚାୟତକୁ ସମ୍ପ୍ରସାରିତ କରାଯିବା ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ୟୁସିସେଫ ଜାରି ରଖିଥିବା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମ ସହିତ ରାଜ୍ୟ ସରକାରଙ୍କ ସହଯୋଗ ଜାରି ରହିବା ସଂପର୍କରେ ଉନ୍ନୟନ କମିଶନର ଆବଶ୍ୟକ ପରାମର୍ଶ ଦେଇଥିଲେ ।

0
0
0
s2sdefault