ଓଡ଼ଗାଁ, ୩।୪( ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳ ଶ୍ରୀରାମ ନବମୀ ଯାତ୍ରାର ଅବ୍ୟବହିତ ପୂର୍ବରୁ ଅନ୍ୟ ଏକ ଯାତ୍ରାର ମାହଲ ସୃଷ୍ଟି କରିଛି । ଗୁରୁବାର ସକାଳେ ଘଣ୍ଟା ଘଣ୍ଟ ମହୁରୀ ଓ ବାଦ୍ୟର କୋଳାହଳ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ରହିଛି ଆତ୍ମିୟତା । ଭକ୍ତର ମଙ୍ଗଳ କାମନା ଉଦେଶ୍ୟରେ ପ୍ରଭୁଙ୍କ ବିଭିନ୍ନ ଲିଳାଖେଳା ମଧ୍ୟରେ ଦକ୍ଷୀଣ ଓଡ଼ିଶାର ଅନେକ ସ୍ଥାନରେ ଦଣ୍ଡ ଯାତ୍ରା ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରିଛି । ପଡୋଶୀ ଗଞ୍ଜାମ ଜିଲ୍ଲାର ଭାମଶିଆଳୀ, ଗୋଲିଆ, ଚଢ଼େଇଆ ପଲ୍ଲୀ ସହିତ ରବି ଗାଡିଆ ଓ ଆୟୋଜକ ଓଡ଼ଗାଁ ଦଣ୍ଡ ଠାକୁରଙ୍କୁ ନେଇ ପଞ୍ଚଦଣ୍ଡ ମିଳନ ଯାତ୍ରା ଅନୁଷ୍ଠିତ ହୋଇଛି । ସମସ୍ତ ଦଣ୍ଡ ଠାକୁର ଓଡ଼ଗାଁରେ ପହଁଞ୍ଚିବା ପରେ ସକାଳେ ଶ୍ରୀ ରଘୁନାଥ ଜିଉଙ୍କ ବେଢ଼ାରେ ମିଳିତ ଭାବେ ବରଣ ହୋଇ ବିଶ୍ରାମ ସ୍ଥଳୀକୁ ଯାଇଥିଲେ ।
ଅପରାହ୍ନ ଗୋଟାଏ ସମୟରେ କମିଟି ଦ୍ବାରା ସ୍ଥିରିକୃତ ୫ ସ୍ଥାନ ଯଥା, ଦଲକ ଷ୍ଟୁଡିଓ ଛକ, ବ୍ଳକ୍ ରୋଡ଼, ମନ୍ଦିର ରୋଡ଼ ୟୁନିୟନ ବ୍ୟାଙ୍କ ସାମ୍ନା, ମଠ ସାମ୍ନା ଓ ମନ୍ଦିର ବେଢ଼ାରେ ଦଣ୍ଡୁଆ ମାନଙ୍କ କଠୋର ଧୁଳିଦଣ୍ଡ ପରିବେଷଣ ହୋଇଥିଲା । ଏବଂ ରାତ୍ର ସମୟରେ ଉକ୍ତ ସ୍ଥାନରେ ଦଣ୍ଡମୁଠା ନିଆଁ ଖେଳ, ପ୍ରଭା ନୃତ୍ୟ ସହିତ ୪ ସ୍ଥାନରେ ସାମାଜିକ ନାଟକ ଏବଂ ଓଡ଼ଗାଁ ଦଣ୍ଡ ଠାକୁରଙ୍କ ମନ୍ଦିର ବେଢ଼ାରେ ରାମଲିଳା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ସ୍ନାନ ସରିବା ପରେ ଏକତ୍ର ଭାବେ ଓଡ଼ଗାଁ ମହୋତ୍ସବ ପଡିଆ ଠାରେ ମିଳିତ ଭାବେ ଭୋଗ ଲାଗି ହୋଇଥିଲେ । ଏବଂ ଥାଟପାଟ ନାନାଦି ପଟୁଆର ମଧ୍ୟରେ ପଞ୍ଚଦଣ୍ଡ ମିଳିତ ହୋଇ ଓଡ଼ଗାଁ ସହର ପରିକ୍ରମା ପରେ ଭୋଜନ ସାରି ମଧ୍ୟରାତ୍ର ପରେ ଭୋର ପର୍ଯ୍ୟନ୍ତ ନାଟକ ପରିବେଶ ଚାଲୁ ରହିଥିଲା । କମିଟି ସଦସ୍ୟ ଓ ସହଯୋଗୀଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।
ରାଜ୍ୟ
ପଞ୍ଚ ଦଣ୍ଡ ମିଳନ ଯାତ୍ରା, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଓଡ଼ଗାଁ ଏନ୍ଏସି ଅଞ୍ଚଳ
- Hits: 139