• ୨୦୩୦ ସୁଦ୍ଧା ଦେଶର ବାର୍ଷିକ ୩୦୦ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା
• ଗ୍ରୀନଫିଲ୍ଡ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ପଥ ପ୍ରଶସ୍ତ କରିବା ନିମନ୍ତେ ଶୀଘ୍ର ଜମି ମିଳିବ ବୋଲି ଆଶା କରାଯାଉଛି
ମୁମ୍ବାଇ/ଅମରାବତୀ,୨୮ ମାର୍ଚ୍ଚ, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ରଜୟାପେଟାଠାରେ ଏକ ଅତ୍ୟାଧୁନିକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ ଯୋଜନାର ଅଂଶବିଶେଷ ଭାବେ ଆଜି ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ଘୋଷଣା କରିଛି। ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଦେୟ ଦିଆଯାଇଛି ଏବଂ ଖୁବ୍ ଶୀଘ୍ର ଜମି ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି, ଯାହା ଗ୍ରୀନଫିଲ୍ଡ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ କମ୍ପାନୀର ପଥ ପ୍ରଶସ୍ତ କରିବ।
ପ୍ରାରମ୍ଭିକ ସ୍ତରରେ ପ୍ରସ୍ତାବିତ ବାର୍ଷିକ ୭.୩ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ସହିତ, ଏହି ପ୍ରକଳ୍ପ ୨୦୩୦ ସୁଦ୍ଧା ଦେଶର ବାର୍ଷିକ ୩୦୦ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ଏବଂ 'ଆତ୍ମନିର୍ଭର ଭାରତ' ପାଇଁ ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା ଦିଗରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି ।
ଆନ୍ଧ୍ରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ , "ଆମେ ଆନ୍ଧ୍ରପ୍ରଦେଶରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆକୁ ସ୍ୱାଗତ କରୁଛୁ ଏବଂ ଏହାର ସଫଳତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ପ୍ରତିବଦ୍ଧ ଅଛୁ। ଏହି ମେଗା ଇସ୍ପାତ କାରଖାନା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସ୍ଥାନୀୟ ଗୋଷ୍ଠୀ ଏବଂ ଏହା ବାହାରେ ମଧ୍ୟ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ। ଏହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶକୁ ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ଦୃଷ୍ଟିକୋଣର ଅନୁରୂପ।"
ଆର୍ସଲରମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ମିତ୍ତଲ କହିଛନ୍ତି ଯେ: “ଆନ୍ଧ୍ରପ୍ରଦେଶରେ ଏହି ନିବେଶ ଭାରତୀୟ ଇସ୍ପାତ କ୍ଷେତ୍ରରେ ଆମର ଉପସ୍ଥିତିକୁ ଗଭୀର ଏବଂ ବ୍ୟାପକ କରିବା ସହିତ ଆମ ସମସ୍ତଙ୍କୁ ବିକଶିତ ଭାରତ ଦିଗରେ ଅଗ୍ରସର କରାଇବ। ଏହା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ; ଆମେ ମିଳିତ ଭାବରେ ବିଶ୍ୱ ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ଭାବରେ ଭାରତର ବଢ଼ୁଥିବା ପ୍ରତିଷ୍ଠାକୁ ଅଧିକ ସୁଦୃଢ କରିବୁ ବୋଲି ଆଶା କରୁଛୁ।
ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଆଦିତ୍ୟ ମିତ୍ତଲ କହିଛନ୍ତି ଯେ, "ଆଜି ଆମର ନିବେଶ, ଆନ୍ଧ୍ରପ୍ରଦେଶରେ ଏକ ବିଶ୍ୱସ୍ତରୀୟ ଇସ୍ପାତ କାରଖାନା ନିର୍ମାଣ କରିବା ପାଇଁ ଏକ ଆକର୍ଷଣୀୟ ଯୋଜନାର ପ୍ରଥମ ପଦକ୍ଷେପ, ଯାହା ଭାରତର ଦୀର୍ଘକାଳୀନ ଇସ୍ପାତ ଉତ୍ପାଦନ ମହତ୍ତ୍ୱାକାଂକ୍ଷାରେ ଆମର ଯୋଗଦାନକୁ ସୁଦୃଢ଼ କରିବ। ଆମେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେମାନଙ୍କ ବଳିଷ୍ଠ ନେତୃତ୍ୱ ଓ ସ୍ଥାନୀୟ ଗୋଷ୍ଠୀ, ରାଜ୍ୟ ଏବଂ ଭାରତ ପାଇଁ ନିଯୁକ୍ତି ଏବଂ ସ୍ଥାୟୀ ଆର୍ଥିକ ଏବଂ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବାର ସମାନ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଉଛୁ।"
ଆନ୍ଧପ୍ରଦେଶରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ଏବଂ ମାନ୍ୟବର ଆଇଟି ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ନାରା ଲୋକେଶ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ବ୍ୟବସାୟିକ ଅଗ୍ରଗତିକୁ ଦ୍ରୁତଗାମୀ କରାଇବା ଏବଂ ଆନ୍ଧ୍ରପ୍ରଦେଶରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରବେଶକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ନିପ୍ପନ୍ ଷ୍ଟିଲ୍ ର ପ୍ରତିନିଧି ନିର୍ଦ୍ଦେଶକ, ଉପାଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆର ବୋର୍ଡ ଅଫ୍ ଡାଇରେକ୍ଟର୍ସର ସଦସ୍ୟ ଶ୍ରୀ ଟାକାହିରୋ ମୋରି କହିଛନ୍ତି ଯେ, "ଆନ୍ଧ୍ରପ୍ରଦେଶରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରସ୍ତାବିତ ପ୍ଲାଣ୍ଟ ଦେଶର ବିକାଶ ପ୍ରକ୍ରିୟାକୁ ତ୍ଵରାନିତ୍ଵ କରାଇବା ସହିତ ଭାରତୀୟ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଆମର ଦୃଢ଼ ମହତ୍ତ୍ୱାକାଂକ୍ଷାକୁ ଦର୍ଶାଉଛି। ଆମେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସମର୍ଥନ ପାଇଁ ତାଙ୍କ ନିକଟରେ କୃତଜ୍ଞ ଏବଂ ଏହି ପ୍ରକଳ୍ପକୁ ଏକ ଦାୟିତ୍ୱପୂର୍ଣ୍ଣ ଭାବରେ ସାକାର କରିବା ପାଇଁ ପ୍ରତିବଦ୍ଧ ଅଛୁ, ଯାହା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ଭାରତକୁ ବିଶ୍ୱରେ ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିପାରିବ।"
ଏଏମ୍/ଏନ୍ଏସ୍ ଇଣ୍ଡିଆ ନିରନ୍ତର ଭାବରେ ଦେଶବ୍ୟାପୀ ଅଭିବୃଦ୍ଧି ସୁଯୋଗଗୁଡ଼ିକୁ ଅନୁସରଣ କରୁଛି, ଏବଂ ଏହାର ଉପସ୍ଥିତିକୁ ଆହୁରି ମଜବୁତ କରିବା ସହ ଦେଶରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟାକୁ ତ୍ଵରାନିତ୍ଵ କରୁଛି। ଗୁଜରାଟର ହାଜିରାଠାରେ ଥିବା ଏହାର ପ୍ରମୁଖ ପ୍ଲାଣ୍ଟରେ ବର୍ତ୍ତମାନ ୯ ରୁ ବାର୍ଷିକ ୧୫ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରଣ ପ୍ରକ୍ରିୟା ସଠିକ୍ ଭାବେ ଅଗ୍ରସର ହେଉଛି । ଓଡ଼ିଶାର ଯେଉଁ ସ୍ଥାନଗୁଡିକରେ କମ୍ପାନୀର ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ଅଛି, ସେଠାରେ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ ପାଇଁ ଯୋଜନା ଚାଲିଛି।