ନିମାପଡା /ଭୁବନେଶ୍ୱର: ଆଜି ନିମାପଡା ବ୍ଲକ କନଫରେନ୍ସ ହଲରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡିକ ପାଇଁ ଯୋଜନା ପ୍ରସ୍ତୁତି ଉପରେ ବିଶେଷ ଧ୍ୟାନ ଦେଇଥିଲେ ।
ବିଭିନ୍ନ ପ୍ରକଳ୍ପ ପାଇଁ ବରାଦ ହୋଇଥିବା ଦେୟର ଖର୍ଚ୍ଚର ସ୍ଥିତି ସମୀକ୍ଷା କରି କିପରି ଶତପ୍ରତିଶତ ଅର୍ଥ ଖର୍ଚ୍ଚ ହେବ ଏବଂ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ ତାହା ଉପରେ ଉପ- ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଆମ ସରକାର ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ଶେଷ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ତେଣୁ ବିକାଶମୂଳକ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା । ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା, ନିମାପଡା ବ୍ଲକ ଅଧ୍ୟକ୍ଷ,ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।