ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଜରୁରୀ : ଜିଲ୍ଲାପାଳ
ଜଗତସିଂହପୁର,ତା-୧୬.୧୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କର୍ଯ୍ୟଳୟସ୍ଥ ସଦଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ମହା ଆନନ୍ଦ ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ ଦିବସ ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ । ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ସେମାନେ କୌଣସି ଭାବରେ ପ୍ରଭାବିତ ନ ହୋଇ ସତ୍ୟ ର ଅନୁସନ୍ଧାନ ସଠିକ ଖବର ପହଞ୍ଚାଇବାକୁ ଉପଦେଶ ଦେଇଥିଲେ। ଏଥିସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ସୁବକ୍ତା ଙ୍କୁ ହୃଦୟଙ୍ଗମ କରି ବିଧାୟକ ଜିଲ୍ଲା ର କୌଣସି ବୃହତ୍ତର ମଞ୍ଚ ରେ ମଧ୍ୟ ସେମାନଙ୍କୁ କହିବାର ସୁଯୋଗ ଦେବାଭଳି ସୁନ୍ଦର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଆଗାମୀ ବର୍ଷ ଆହୁରି ବଡ ଆକାରରେ ପ୍ରେସ ଦିବସ ପାଳନ ସହ ଅଭିଜ୍ଞ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା କୁ ପ୍ରସ୍ତାବ ଦେଇଥିଲେ। ଗଣମାଧ୍ୟମର ପ୍ରତିନିଧି ମାନଙ୍କ ନିବେଦନ ଅନୁଯାୟୀ ଆଗାମୀ ଦିନରେ ଜିଲ୍ଲା ରେ ପ୍ରେସ ଭବନ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ କହିଥିଲେ ବିଧାୟକ ଶ୍ରୀ ଦାସ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଚଳିତ ବର୍ଷର ବିଷୟବସ୍ତୁ "ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ" ସାମ୍ପ୍ରତିକ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବା ସହ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରିଥିଲେ | ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ତେଣୁ ସମସ୍ତ ଙ୍କୁ ସାମ୍ବାଦିକତାର ଦର୍ଶନାତ୍ମକ ଚିନ୍ତାଧାରା ବିଷୟରେ ସମ୍ୟକ୍ ନିଦର୍ଶନ ଦେଇଥିଲେ ଜିଲ୍ଲାପାଳ। ଯେଉଁ ମୂଳମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ରଖି କାର୍ଯ୍ୟ କରିବା ଉଭୟଙ୍କ ପାଇଁ ନିହାତି ଜରୁରୀ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ,ତେଣୁ ନିର୍ଭୀକତା ର ସହ ସତ୍ୟ ର ସାରଥୀ ଭାବେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସମ୍ବାଦିକତାର ଗାରିମାକୁ ବଜାୟ ରଖିବା ଏବଂ ଏକତ୍ରିତ ହୋଇ ପ୍ରସାଶନ ସହ ସମନ୍ଵୟ ରଖି କାର୍ଯ୍ୟ କରିବା ପାଇଁ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଚୌଧୁରୀ, ଅମର ଜ୍ୟୋତି ସାହୁ, ମନୋଜ କୁମାର ଦାଶ, ପ୍ରମୋଦ ନାୟକ,ଅମରେନ୍ଦ୍ର ପରିଡ଼ା, ରାଧାକାନ୍ତ ମିଶ୍ର, ଶୁଭଙ୍କର ଜେନା,ସରୋଜ ସାହୁ, ନାରାୟଣ ପ୍ରସାଦ ନନ୍ଦ, ରମାକାନ୍ତ ଦାଶ, ଯୁବ ସାମ୍ୱାଦିକ ସୌମ୍ୟ ରଞ୍ଜନ ନାୟକ, ଅସ୍ମିତା ମହାନ୍ତି ନିଜର ଅଭିବ୍ୟକ୍ତି ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳ ସାମ୍ୱାଦିକ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ।