ହେଡଲାଇନସ୍:

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଲେ ଘୁ.ଉଦୟଗିରିର ଦୁଇ ଝିଅ ଏନ ପଲ୍ଲବୀ ଓ ବ୍ଲୁଚୁମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀରାମ ପଦାର ଏନ ପଲ୍ଲବୀ ଓ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବିଲାବାଡ଼ା ଗ୍ରାମର ବ୍ଲୁଚୁମ ପ୍ରଧାନ ଦୁଇଟି ଜଣ ଝିଅ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସ୍ଥାନୀୟ ଅଞ୍ଚଳ ତଥା ନିଜ ବାପା ମା ଓ ପରିବାର ପାଇଁ ଗୌରବ ଆଣିଛନ୍ତି । ସୂଚନା ଅନୁସାରେ ପିତା ଓବେଦନ ନାୟକ ମା ଝୁନୁ ପଣ୍ଡାଙ୍କ ଝିଅ ଏନ ପଲ୍ଲବୀ ୨୯୭ ରେଙ୍କ ରଖି ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପଲ୍ଲବୀଙ୍କ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ହୋଇଥିଲା । ପଞ୍ଚମ ଶ୍ରେଣୀରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜବାହାର ନବୋଦୟ ବିଦ୍ୟାଳୟ ଫୁଲବାଣୀରେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ଲକ୍ଷ୍ୟ ତାଙ୍କର ଉଚ୍ଚ ରହିଥିବାରୁ ଅଷ୍ଟମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୂଟ ଭୁବନେଶ୍ବର ଠାରେ ପଢ଼ିଥିଲେ । ଏସଟି.ଷ୍ଟିଫେନ୍ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରି ଇଗ୍ନୋ ବିଶ୍ଵ ବିଦ୍ୟାଳୟ ସୋସିଓଲଜ୍ଜିରେ ଏମଏ କରିଥିଲେ.। ମେଧାବୀ ଛାତ୍ରୀ ପଲ୍ଲବୀ ଦଶମ ଶ୍ରେଣୀ ପରୀକ୍ଷାରେ ୯.୨ (ସିଜିପିଏ) ସହ ପ୍ରଥମ ସ୍ଥାନ ହାସଲ କରିଥିଲେ ଓ ଦ୍ଵାଦଶ ଶ୍ରେଣୀରେ ମଧ୍ୟ ଶତକଡ଼ା ୮୮ ହାରରେ ପ୍ରଥମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପଲ୍ଲବୀ ବହୁ ପରିଶ୍ରମ କରି ଓଡ଼ିଶା ପ୍ରାଶାସନିକ ସେବା ୨୦୨୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବାପା ଓ ମା ଖୁସି ବ୍ୟକ୍ତ କରିଛନ୍ତି । ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ନିମନ୍ତେ ନିଜ ବାପା, ମା , ବନ୍ଧୁ ପରିବାର, ସାଙ୍ଗ ସାଥି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେବା ସହ ଚାକିରିରେ ଯୋଗଦାନ ପରେ ସମାଜର ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ । ସେହିପରି ବିଲାବାଡ଼ା ଗ୍ରାମ ନିବାସୀ ଅବସର ପ୍ରାପ୍ତ ସିଆରପିଏଫ ଅଧିକାରୀ ଓ ମାତା ଅଗ୍ରଜନ୍ମା ପ୍ରଧାନ ଝିଅ ବ୍ଲୁଚୁମ ପ୍ରଧାନ ଓଡ଼ିଶା ପ୍ରାଶାସନିକ ସେବା ୨୦୨୨ ପରୀକ୍ଷାରେ ୬୭୧ ରେଙ୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେ ମଧ୍ଯ ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଷଷ୍ଠ ଶ୍ରେଣୀ ଠାରୁ ଜବାହାର ନବୋଦୟ ବିଦ୍ୟାଳୟ ଫୁଲବାଣୀରେ ପାଠ ପଢ଼ି ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବା ପରେ କଲାମ ଜୁନିଅର ସାଇନ୍ସ କଲେଜରେ ପାଠ ପଢ଼ି ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଭୁବନେଶ୍ବର ସ୍ଥିତ ରାଜଧାନୀ କଲେଜରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ୟୁନିଟାରି ଇଉନିଭର୍ସିଟିରେ ପିଜି ସମାପ୍ତ କରିଥିଲେ । ନିଜ ପରିଶ୍ରମ ଫଳ ସ୍ଵରୂପ ସୁଶ୍ରୀ ବ୍ଲୁଚୁମ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ବାପା, ମା, ପରିବାର, ସାଙ୍ଗ ସାଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ଯେଉଁ ମାନଙ୍କ ପାଇଁ ଆଜି ସେ ଏହି ସଫଳତା ପାଇଛନ୍ତି । ସରକାରଙ୍କ ଯେଉଁ ବିଭାଗରେ ଦାୟିତ୍ଵ ମିଳିବ ସେ ନିଷ୍ଠାପର ଭାବେ ସମାଜ ପାଇଁ କାମ କରିବେ ଓ ଲୋକଙ୍କ ସେବା କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଝିଅ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପାଠ ଆରମ୍ଭ କରି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଖବର ପ୍ରସାରିତ ହେବା ପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ଓ ସେମାନଙ୍କ ପାଇଁ ଘୁ ଉଦୟଗିରି ମାଟି ଆଜି ଗର୍ବିତ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।

0
0
0
s2sdefault